ହିନ୍ଦୋଳ: ସରକାରୀ ବାରମ୍ବାର ଚାଗିଦ୍ ସତ୍ତ୍ୱେ ମାନୁ ନାହାଁନ୍ତି ଅମାନିଆ ସରକାରୀ ବାବୁ । ପୁଣି ଜଣେ ସରକାରୀ କର୍ମଚାରୀ ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରି ବନ୍ଧା ହୋଇଛନ୍ତି । ସେ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପ-କୋଷାଗାର ବା ସବ୍ ଟ୍ରେଜେରୀର ପୂର୍ବତନ ବରିଷ୍ଠ କିରାଣୀ ମନୋରଞ୍ଜନ ସାହୁ । ସେ ଚଞ୍ଚକତା କରି ୬୮ ଲକ୍ଷ ପେନସନ୍ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ଆଜି ତାଙ୍କୁ ଭିଜିନାଲ୍ସ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ ।
ହିନ୍ଦୋଳ ସବ୍ ଟ୍ରେଜେରୀରେ ପୂର୍ବରୁ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ମନୋରଞ୍ଜନ ସାହୁ ଲୋକଙ୍କ ପେନସନ୍ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଏହାର ତଦନ୍ତଭାର ଭିଜିଲାନ୍ସ ବିଭାଗକୁ ଦିଆଯାଇଥିଲା । ଭିଜିଲାନ୍ସ ତଦନ୍ତରେ ଜାଣିବାକୁ ପାଇଥିଲା ଯେ ମନୋରଞ୍ଜନ ମୋଟ ୬୮ ଲକ୍ଷ ୮୫ ହଜାର ୪୯୭ ଟଙ୍କା ହଡ଼ପ କରିନେଇଛନ୍ତି । ସେ ଲୋକଙ୍କ ପାଇଁ ଆସୁଥିବା ପେନସନ୍ ଟଙ୍କାଙ୍କୁ ସେମାନଙ୍କ ଆକାଉଣ୍ଟରେ ନ ରଖି ନିଜ ଆକାଉଣ୍ଟ ଏବଂ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଚଞ୍ଚକତା କରି ନେଉଥିଲେ । ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ ଭିଜିଲାନ୍ସ ଟିମ୍ ଗତକାଲି ରାତିରେ ଗିରଫ କରିଛି ।
ମନୋରଞ୍ଜନଙ୍କ ବିରୋଧରେ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ବିରୋଧୀ ଆଇନ ଅନୁସାରେ ମାମଲା ରୁଜୁ ହୋଇଛି । ଆଜି ତାଙ୍କୁ ଢେଙ୍କାନାଳ ଭିଜିଲାନ୍ସ କୋର୍ଟରେ ହାଜର କରାଯିବ ।
ଗତକାଲି ମଧ୍ୟ ଏକ ସମାନ ଖବର ସାମ୍ନାକୁ ଆସିଥିଲା । ଦେବଗଡ଼ ଜିଲ୍ଲା କାଦୋପଡ଼ା ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ ସରକାରୀ ଆକାଉଣ୍ଟିଂ ରେକର୍ଡକୁ ହେରଫେର କରି ଚାଷୀ ପରିଶୋଧ କରୁଥିବା ଋଣ ଟଙ୍କା ହଡ଼ପ କରି ନିଜ ପକେଟରେ ପୁରାଇଛନ୍ତି । ପ୍ୟାକ୍ସ ଡେ ବୁକକୁ ଉଦ୍ଦେଶ୍ୟମୂଳକ ଭାବେ ହେରଫେର କରି ୪୦ ଲକ୍ଷ ୭୧ ହଜାର ୬୪୪ ଟଙ୍କା ଆତ୍ମସାତ କରିଛନ୍ତି । ତାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଥିଲା ।