ରାଜଧାନୀରେ ଦିନକୁ ଦିନ ବଢୁଛି ଧଳାଜହର କାରବାର। ଶନିବାର ରାଜଧାନୀରେ ଧରା ପଡିଛନ୍ତି ଧଳାଜହର ବେପାରୀ ହେଲେ ଜାଣି ଆଶ୍ଚର୍ୟ୍ଯ ଲାଗିବ ଏଥର ଏହି କାରବାରରେ ଦୁଇ ଉଚ୍ଚ ଶିକ୍ଷିତ ଓ ପ୍ରାଇଭେଟ୍ କମ୍ପାନୀରେ ଚାକିରି କରୁଥିବା ଯୁବତୀ ଧରା ପଡିଛନ୍ତି। ଚାକିରୀ କରିଥିଲେ ବି ପେଶା ସେମାନଙ୍କର ଥିଲା ଧଳାଜହର କାରବାର।
ସୂଚନା ଅନୁଯାୟୀ ଭୁବନେଶ୍ୱର ଖଣ୍ଡଗିରି ଥାନା ଯଦୁପୁର ଗାଁରେ ଘର ଭଡ଼ା ନେଇ ଦୀର୍ଘଦିନ ଧରି ଏହି ବେପାର ଚଳାଇଥିଲେ ଦୁଇ ଯୁବତୀ ହେଲେ କମିଶନରେଟ୍ ପୁଲିସ୍ ପଞ୍ଝାରେ ପଡ଼ିଗଲେ। ଶୁକ୍ରବାର କମିଶନରେଟ ପୁଲିସ୍ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଯୁବତୀ ଦୁଇ ଜଣଙ୍କ ମଧ୍ଯରୁ ଜଣେ ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ପ୍ରଜ୍ଞା ପ୍ରିୟା ସ୍ୱାଇଁ ଓ ଅନ୍ୟ ଜଣେ ବାଲେଶ୍ଵର ଜିଲ୍ଲା ବସ୍ତା ଅଞ୍ଚଳର କରିଶ୍ମା ରାଉତ। ଉଭୟ ଉଚ୍ଚ ଶିକ୍ଷିତ ଅଟନ୍ତି। ଦୀର୍ଘ ବର୍ଷେରୁ ଅଧିକ ସମୟ ଧରି ଦୁଇ ସୁନ୍ଦରୀ ଧଳା ଜହର କାରବାରରେ ଲିପ୍ତ ରହୁଥିଲେ। ସେମାନେ ନିଜେ ଏହି ନିଶା ଖାଇବା ସହିତ ଏହି ବେପାରରେ ଲିପ୍ତ ରହୁଥିଲେ। ରାଜଧାନୀର ଏକ ବ୍ରାଉନ୍ସୁଗର ବେପାରୀଠାରୁ ଆଣି କାରବାର କରୁଥିଲେ।
ତେବେ ବ୍ରାଉନ୍ସୁଗର କାରବାର ସମ୍ପର୍କରେ ଖବର ପାଇ କମିଶନରେଟ୍ ପୁଲିସ୍ ଓ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ମିଳିତ ଭାବେ ଶୁକ୍ରବାର ଉକ୍ତ ଘରେ ଚଢ଼ଉ କରି ୨୬୫ ଗ୍ରାମ୍ ବ୍ରାଉନ୍ସୁଗର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷରୁ ଅଧିକ ଟଙ୍କା ହେବ। ଏଥିସହ ଉଭୟ ପ୍ରଜ୍ଞା ଓ କରିଶ୍ମାଙ୍କୁ ଗିରଫ କରିଥିଲା। ଉଭୟଙ୍କଠାରୁ ପୁଲିସ୍ ୩ଟି ମୋବାଇଲ୍ ଓ ଗୋଟିଏ ଲାପ୍ଟପ୍ ଜବତ କରିଥିଲା। ବର୍ତ୍ତମାନ ଏହି ବେପାରର ଚେର କେଉଁ ଯାଏଁ ଲମ୍ବିଛି ତାହା ଜାଣିବା ପାଇଁ କମିଶନରେଟ୍ ପୁଲିସ୍ ଅଧିକ ତଦନ୍ତ ଚଳାଇଛି ।