ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଅପରାଧଶୀଳ ଯାଞ୍ଚ ବିଭାଗ (ସିଆଇଡି) ଭାରତର ଅନ୍ୟତମ ଏକ ବଡ଼ ସାଇବର ଠକେଇ ଗ୍ୟାଙ୍ଗ୍ର ପର୍ଦ୍ଦାଫାସ କରିଛି। ଏହି ଗ୍ୟାଙ୍ଗ୍ କଥିତ ଭାବେ ଏକ ହଜାର କୋଟି ଟଙ୍କାରୁ ଅଧିକ ଠକେଇ କରିଥିବା ପୁଲିସକୁ ଜାଣିବାକୁ ମିଳିଛି। ଏହି ଗୋଷ୍ଠୀ ବିଗତ ୫ ବର୍ଷରେ ଉତ୍ତର ପ୍ରଦେଶରୁ ଦିଲ୍ଲୀ ଓ ହରିୟାଣା ପର୍ଯ୍ୟନ୍ତ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ। ସାମାଜିକ ଗଣମାଧ୍ୟମର ପ୍ଲାଟଫର୍ମ ଜରିଆରେ ଲୋକଙ୍କୁ ଠକୁଥିଲେ।
ଏହି ଗ୍ୟାଙ୍ଗର ୨ ଜଣ ମାଷ୍ଟରମାଇଣ୍ଡକୁ ପଶ୍ଚିମବଙ୍ଗ ସିଆଇଡି ଦିଲ୍ଲୀ ଓ ହରିୟାଣାରୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ମଙ୍ଗଳବାର କୋର୍ଟରେ ହାଜର କରାଯିବା ପରେ ସିଆଇଡି ୧୨ ଦିନ ପାଇଁ ନିଜ ହେପାଜତକୁ ନେଇଛି।
ସିଆଇଡି ସୂତ୍ର ଅନୁସାରେ ଅଭିଯୁକ୍ତମାନେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଯଥା ହ୍ବାଟ୍ସଆପ୍, ଟେଲିଗ୍ରାମ ଓ ଫେସ୍ବୁକ ମାଧ୍ୟରେ ସକ୍ରିୟ ଥିଲେ। ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କୁ ଟାର୍ଗେଟ କରୁଥିଲେ। ପ୍ରଥମେ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ କରୁଥିଲେ। ଏହା ପରେ କ୍ରିପ୍ଟୋରେ ନିବେଶ କରିବାକୁ ପ୍ରବର୍ତ୍ତାଉଥିଲେ। ଶୀଘ୍ର କୋଟିପତି ହେବାକୁ ଲୋଭ ଦେଖାଉଥିଲେ। ଯେଉଁ ଲୋକମାନେ କମ୍ ପରିଶ୍ରମରେ ଶୀଘ୍ର ଧନି ହେବାକୁ ଚାହୁଥିଲେ, ସେହିଭଳି ଲୋକଙ୍କୁ ଠକ ଗୋଷ୍ଠୀ ଟାର୍ଗେଟ କରୁଥିଲେ। ସିଆଇଡି ଜାଣିବାକୁ ପାଇଛି ଯେ, ଠକ ଗୋଷ୍ଠୀ ନକଲି କଂପାନି ଖୋଲିଥିଲେ। ନିବେଶ ନାମରେ ସେମେନେ ଲୋକଙ୍କୁ ଠକି ଟଙ୍କା ନେଇଯାଉଥିଲେ।
ମାମଲାର ତଦନ୍ତ ବେଳେ ସିଆଇଡି ଏକ ନକଲି କଂପାନିର ୨ ଜଣ ନିର୍ଦ୍ଦେଶକଙ୍କ ପରିଚୟ ପାଇଛି। ସେମାନଙ୍କୁ ଚଢ଼ାଉ ସମୟରେ ଗିରଫ କରାଯାଇଛି। ହରିୟାଣାରୁ ମାନୁଷ କୁମାର ଓ ଦିଲ୍ଲୀରୁ ସତ୍ୟେନ୍ଦ୍ର ମହତୋଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରାଯାଇଛି। ଏମାନଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇ ପଚରାଉଚରା କରାଯାଉଛି। ଏମାନେ ୧ ହଜାର କୋଟି ଟଙ୍କାର ଠକେଇ କରିଥିବା ଜରେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସିଆଇଡି ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।