ଭୁବନେଶ୍ୱର: ପାର୍ବଣ ପୂର୍ବରୁ ଚମକିବ ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱର ରାସ୍ତା । ଅକ୍ଟୋବର ୫ ତାରିଖ ସୁଦ୍ଧା ଟୁଇନ ସିଟି ଓ ରାଜ୍ୟର ସମସ୍ତ ସହରରେ ଥିବା ରାସ୍ତାର ମରାମତି କାର୍ଯ୍ୟ ଶେଷ ହେବ । ଏ ନେଇ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ଶୁକ୍ରବାର ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଦ୍ୱୈତନଗରୀ କଟକ-ଭୁବନେଶ୍ଵରର ରାସ୍ତା ମରାମତି ଓ ଉନ୍ନତିକରଣ ନିମନ୍ତେ ପ୍ରଥମ ଥର ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କଟକ ମେୟର ସୁବାସ ସିଂ, ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ବାରବାଟୀ କଟକ ବିଧାୟକ ସୋଫିଆ ଫିର୍ଦ୍ଦୋସ ପ୍ରମୁଖ ଯୋଗ ଦେଇଥିଲେ । ଅକ୍ଟୋବର ୫ ସୁଦ୍ଧା ଦ୍ଵୈତ ନଗରୀ ସମେତ ରାଜ୍ୟର ସବୁ ସହରରେ ସରିବ ରାସ୍ତା ମରାମତି କାର୍ଯ୍ୟ । ପାର୍ବଣକୁ ଦୃଷ୍ଟିରେ ରଖି ଦ୍ଵୈତ ନଗରୀ ପାଇଁ ବସିଥିବା ସ୍ଵତନ୍ତ୍ର ବୈଠକ ପରେ ସୂଚନା ଦେଇଛନ୍ତି ମନ୍ତ୍ରୀ । ଏହା ସହିତ ଜଳବନ୍ଦୀ ସମସ୍ୟା ଦୂର ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ମନ୍ତ୍ରୀ କହିଛନ୍ତି, ପୂର୍ବରୁ କେବେ ଭୁବନେଶ୍ଵର କଟକ ରାସ୍ତା ମରାମତି ନେଇ ସମନ୍ଵୟ ବୈଠକ ବସି ନଥିଲା । ବିଜେପି ସରକାର ଆସିବା ପରେ ପ୍ରଥମ ଥର ସମନ୍ଵୟ ବୈଠକ ବସିଛି । ଆଗକୁ ଏ ଧାରା ଜାରି ରହିବ ଓ ରାସ୍ତା ଘାଟ ସ୍ଥିତି ନେଇ ସମୀକ୍ଷା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ପାର୍ବଣ ପରେ ଟ୍ରାଫିକ ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ମଧ୍ୟ ବୈଠକ ବସିବ । କଟକ ଭୁବନେଶ୍ଵରରେ ଟ୍ରାଫିକ ସମସ୍ୟା ଦୂର ଲାଗି ନୂଆ ରାସ୍ତା ତିଆରି ଉପରେ ଆଲୋଚନା ହେବ ।
ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋସ କହିଛନ୍ତି ଯେ ଗଣେଶ ପୂଜା ବୁଲିବା ବେଳେ ଅନେକ ରାସ୍ତା ଘାଟ ସମସ୍ୟା ଦେଖିଛୁ । ସେସବୁର ତାଲିକା ସିଏମସିକୁ ଦେଇଛୁ । ନିର୍ଦ୍ଧାରିତ ସମୟ ଭିତରେ ରାସ୍ତା ଓ ଡ୍ରେନ କାମ ସାରିବାକୁ ଦାବି କରାଯାଇଛି ।
ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ରାସ୍ତା ଓ ଡ୍ରେନ କାମ ବେଳେ ବିଭାଗ ବିଭାଗ ମଧ୍ୟରେ ସମନ୍ଵୟ ରହୁନି । ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଭଳି ସମନ୍ଵୟ ରହିବ, ସେ ନେଇ ଗୁରୁତ୍ଵ ଦେବାକୁ ଦାବି କରିଛନ୍ତି ଅନନ୍ତ ଜେନା । ଆଗକୁ ରାସ୍ତା ତିଆରି ବେଳେ ଖରାପ ରାସ୍ତାକୁ ସମ୍ପୂର୍ଣ ଖୋଳି ନୂଆ ଦୀର୍ଘ ମିଆଦି ରାସ୍ତା ତିଆରି କରିବାକୁ ସେ ଦାବି କରିଛନ୍ତି । ୧୯୮୦ ମସିହାରୁ ତିଆରି ହୋଇଥିବା ଘର ଏବେ ରାସ୍ତାଠୁ ତଳେ ରହିଲେଣି । ଯେଉଁଥି ପାଇଁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି । ଏ ସମସ୍ୟାର ସମାଧାନ କରିବାକୁ ସେ ଦାବି କରିଛନ୍ତି ।