ଭୁବନେଶ୍ୱର: ଅସୁରକ୍ଷିତ ହୋଇ ପଡ଼ିଛି ରାଜ୍ୟ ରାଜଧାନୀ ଭୁବନେଶ୍ୱର । ରାଜଧାନୀ ରାଜ ରାସ୍ତାରେ ଯୁବକଙ୍କୁ ଅତର୍କିତ ଆକ୍ରମଣ । ବାଇକରେ ଆସି କିଛି ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି । ଗୁରୁତର ଯୁବକ ଜଣକ ହେଲେ ଶିବ ପ୍ରସାଦ ଶ୍ରୀଚନ୍ଦନ । ସେ ଜଣେ ସମାଜସେବୀ ବୋଲି ଜଣାପଡ଼ିଛି । ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଏସ୍ସକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗତକାଲିରେ ରାତି ପ୍ରାୟ ୧୦ଟା ସମୟରେ ସମାଜସେବୀ ଶିବ ପ୍ରସାଦ ଶ୍ରୀଚନ୍ଦନ ସ୍କୁଟିରେ ପଲାସ ପଲ୍ଲୀ ଛକରୁ କୌଣସି କାମରେ ଯାଉଥିଲେ । ଏହି ସମୟରେ ଦୁଇଟି ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କ ଗାଡ଼ି ସାମ୍ନାରେ ଛିଡ଼ା ହୋଇଯାଇଥିଲେ । ଶିବ ବାଧ୍ୟ ହୋଇ ଗାଡ଼ି ଅଟକାଇଥିଲେ । ଏହା ସମ୍ପୃକ୍ତ ଯୁବକମାନେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଖଣ୍ଡାରେ ତାଙ୍କୁ ହାଣି ଚାଲିଲେ । ଶିବ ତଳେ ପଡ଼ି ଚିତ୍କାର କରିବାରୁ ସେମାନେ ତାଙ୍କୁ ଛାଡ଼ି ଫେରାର ହୋଇଯାଇଥିଲେ ।
ଏହା ପରେ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ପିଠି ଏବଂ ଅଣ୍ଟାରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି ।
ଏ ନେଇ ଶିବଙ୍କ ଜଣେ ସମ୍ପର୍କୀୟ ଭାଇ ଥାନାରେ ଚାରି ଜଣଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ କମିଶନର ଏସ ଦେବଦତ୍ତ ସିଂ ନିଜେ ମେଡ଼ିକାଲରେ ପହଁଚି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ଘଟଣା ସ୍ଥଳରେ ଥିବା ସିସିଟିଭି ଫୁଟେଜ୍ ମାଧ୍ୟମରେ ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଜାରି ରଖିଛି । ତେବେ ଜଣେ ସମାଜସେବୀଙ୍କୁ କାହିଁକି ଏମିତି ମରଣାନ୍ତକ ଆକ୍ରମଣ କରାଯାଇଛି ସେ ନେଇ କିଛି ସ୍ପଷ୍ଟ ହୋଇ ପାରି ନାହିଁ । ତେବେ ରାଜଧାନୀ ଉପରେ ଏଭଳି ଆକ୍ରମଣକୁ ନେଇ ସାଧାରଣ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି ।