କଟକ: ଆରମ୍ଭ ହୋଇଯାଇଛି ଦଶଭୁଜା ମା’ ଦୁର୍ଗାଙ୍କ ଆବାହନ । ମା’ ଧରାବତରଣ କରିବା ପୂର୍ବରୁ ନବ ଦିନାତ୍ମକ ପୂଜା ଆରମ୍ଭ ହୋଇଛି । ସେପଟେ ମା’ଙ୍କ ସ୍ୱାଗତ ପାଇଁ ତତ୍ପର ହେଲାଣି ପୂଜା ମଣ୍ଡପ । ବେଶ ଉସ୍ଚବ ମୁଖର ହୋଇ ପଡ଼ିଛି ତାରକସୀର ସହର କଟକ । ଆଉ ଏହାରି ମଧ୍ୟର କଟକ ପୂଜା କମିଟିଙ୍କ ପାଇଁ ଏକ ଖୁସି ଖବର ଆସିଛି । ପୂଜାରେ ଡିଜେ ବଜାଇବାକୁ ମାନ୍ୟବର ଉଚ୍ଚ ଅଦାଲତ ଅନୁମତି ପ୍ରଦାନ କରିଛନ୍ତି ।
ହାଇକୋର୍ଟ କଟକ ଦୁର୍ଗା ପୂଜାରେ ଡିଜେ ବାଜିବା ସମ୍ପର୍କିତ ଏକ ଜନ ସ୍ୱାର୍ଥ ମାମଲାର ଶୁଣାଣି କରି କମିଶନରେଟ ପୁଲିସ ଜାରି କରିଥିବା କଟକଣା ଉପରେ ରହିତାଦେଶ ଲଗାଇଛନ୍ତି । ଦୁର୍ଗା ପୂଜାରେ ଡିଜେ ବଜାଇବାକୁ ଅନୁମତି ପ୍ରଦାନ କରିଛନ୍ତି । ମାତ୍ର ଅତ୍ୟଧିକ ଉଚ୍ଚ ସ୍ୱରରେ ଯେପରି ଶବ୍ଦ ନ ହେବ ସେଥିପାଇଁ ମଧ୍ୟ କଟକଣା ଜାରି କରିଛନ୍ତି । ୬୫ ଡେସିବେଲ୍ ମଧ୍ୟରେ ଡିଜେ ବଜାଇବାକୁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଭସାଣୀ ଶୋଭାଯାତ୍ରା ସମୟରେ ଅଧିକ ଶବ୍ଦ ବା ୬୫ ଡେସିବଲରୁ ଅଧିକ ଶବ୍ଦ କରୁଥିବା ସାଉଣ୍ଡ ବକ୍ସ ଜବତ କରିବା ପାଇଁ କୋର୍ଟଙ୍କୁ ଆଶ୍ୱାସନା ଦିଆଯାଇଛି ।
ଅନ୍ୟପକ୍ଷରେ ରାସ୍ତା ମରାମତି କାମକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ । ବିପର୍ଯ୍ୟସ୍ତ ରାସ୍ତାଘାଟ ମରାମତି ନେଇ ହାଇକୋର୍ଟରେ ସିଏମସିର ଭୁଲ ରିପୋର୍ଟ ନେଇ ବର୍ଷିଲେ କୋର୍ଟ, ଭୁଲ ରିପୋର୍ଟ ଦେଲେ ଅଦାଲତର ଅବମାନନା ରୁଜୁ କରିବାକୁ କହିଛନ୍ତି କୋର୍ଟ । ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଏକାଧିକ ୱାର୍ଡରେ ମରାମତି ହୋଇନାହିଁ ରାସ୍ତାଘାଟ । ଆଗାମୀ ୭ ଦିନ ମଧ୍ୟର କଟକ ସହର ଭିତରର ସମସ୍ତ ରାସ୍ତା କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦଶହରା ପୂର୍ବରୁ ବନ୍ଦ ଓ ଅଚଳ ହୋଇ ପଡିଥିବା ସମସ୍ତ ଷ୍ଟ୍ରିଟ ଲାଇଟ ମରାମତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ସହିତ ରାସ୍ତା ଉପରେ ତୋରଣ ନିର୍ମାଣକୁ ନେଇ କଡ଼ା ତାଗିଦ କରିଛନ୍ତି । ଜନସାଧାରଣଙ୍କ ରାସ୍ତା ଅବରୋଧ ନକରି ତୋରଣ ନିର୍ମାଣ କରାଯାଇଥିବା ନେଇ ତଦାରଖ କରିଛନ୍ତି ସ୍ଥାନୀୟ ଥାନା ଅଧିକାରୀ ଓ ଜିଲ୍ଲା ପ୍ରଶାସନଙ୍କ ନୋଡାଲ ଅଫିସର । ସେହିପରି ପୂଜା ସମୟରେ ଯେପରି ଟ୍ରାଫିକ୍ ସମସ୍ୟା ନ ରୁହେ, ଭିଡ ନିୟନ୍ତ୍ରଣ ଏବଂ କାହାର ଯେପରି ଧନ ଜୀବନ ନଷ୍ଟ ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ମାନ୍ୟବର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସିଏମସି କମିସନର, ସିଟି ଇଞ୍ଜିନିୟର, ସ୍ଵାସ୍ଥ୍ୟ ଅଧିକାରୀ, ଆରଏଣ୍ଡବି ଯନ୍ତ୍ରୀ, ଡିସିପି, ଅତିରିକ୍ତ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ।
ସୂଚନା ଥାଉକି, ପୂର୍ବରୁ ଦୁର୍ଗାପୂଜା ପାଇଁ କମିଶନରେଟ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଥିଲା । ଦୈତନଗରୀ କଟକ-ଭୁବନେଶ୍ୱରରେ ଏଥର ଦୁର୍ଗାପୂଜାରେ ଡିଜେକୁ ବାରଣ କରାଯାଇଛି । ଏହା ସହିତ ମଦ ଓ ପ୍ଲାଷ୍ଟିକ୍ ମୁକ୍ତ ଦୁର୍ଗାପୂଜାକୁ ଗୁରୁତ୍ଵ ଦିଆଯାଇଛି । ପୂଜା କମିଟି ମଧ୍ୟ ବଟି ମାଗିଲେ ସଂପୃକ୍ତ ବ୍ୟକ୍ତି ଗିରଫ ହେବେ ବୋଲି ପୁଲିସ କମିଶନର ସଞ୍ଜୀବ ପଣ୍ଡା କଡ଼ା ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସ୍ୱଇଚ୍ଛାରେ କେହି ଦାନ ଦେବାକୁ ଚାହୁଁଥିଲେ ଦେଇପାରିବେ । ସେହିପରି ରାବଣ ପୋଡିରେ ବାଣ ବ୍ୟବହାର ନକରିବାକୁ ନିବେଦନ କରାଯାଇଛି ।
ଗତ କିଛି ଦିନ ତଳେ ହାଇକୋର୍ଟ ରାସ୍ତା ଉପରେ ତୋରଣ ନିର୍ମାଣ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାସ୍ତା ଉପରୁ କେବୁଲ ଓ ତାର ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ୫ ତାରିଖ ସୁଦ୍ଧା ସମସ୍ତ ରାସ୍ତା ମରାମତି କାମ ସାରିବାକୁ ପୂର୍ତ୍ତ ବିଭାଗ ସଚିବ ହାଇକୋର୍ଟଙ୍କୁ କହିଥିଲେ ।