ଭୁବନେଶ୍ୱର: ସାମାନ୍ୟ ମାଛକୁ ନେଇ ରାଜଧାନୀ ଭୁବନେଶ୍ୱରରେ ହୋଇଛି ବୀଭତ୍ସ ହତ୍ୟାକାଣ୍ଡ । ହୋଟେଲରେ କାମ କରୁଥିବା ଦୁଇ ଜଣ କର୍ମଚାରୀଙ୍କ ମଧ୍ୟରେ ବଚସା ହତ୍ୟାର ରୂପ ନେଇଛି । ଡମଣା ଛକରେ ଥିବା ‘ତାରାଦେଇ’ ହୋଟେଲରେ ଜଣେ କର୍ମଚାରୀ ଅନ୍ୟ ଜଣେ କର୍ମଚାରୀଙ୍କୁ ପନିକିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ସୋରଡ଼ାର ପୀତାମ୍ବର ଜେନା । ଏ ନେଇ ଡମଣା ଥାନାରେ ଅଭିଯୋଗ ହୋଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ପୀତାମ୍ବର ଜେନା ଗଞ୍ଜାମ ଜିଲ୍ଲା ସୋରାଡ଼ାରୁ ଆସି ଦୀର୍ଘ ୧୫ ବର୍ଷ ହେଲା ‘ତାରାଦେଇ’ ହୋଟେଲରେ ରୋଷେୟା ଭାବେ କାମ କରୁଥିଲେ । ଗତକାଲି ରାତିରେ ମାଛ ଖାଇବାକୁ ନେଇ ଅନ୍ୟ ଜଣେ କର୍ମଚାରୀଙ୍କ ସହିତ ପୀତାମ୍ବରଙ୍କର ଯୁକ୍ତି ତର୍କ ହୋଇଥିଲା । ଏହି ଝଗଡ଼ା ଧିରେ ଧିରେ ଉଗ୍ର ରୂପ ଧାରଣ କରିଥିଲା । ଏଥିରେ ଅନ୍ୟ ଜଣେ କର୍ମଚାରୀ ଜଣକ ଉତକ୍ଷିପ୍ତ ହୋଇ ପୀତାମ୍ବରଙ୍କୁ ପନିକିରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ହତ୍ୟା ପରେ ଅଭିଯୁକ୍ତ ଜଣକୁ ମୃତ ଦେହକୁ ଲୁଚାଇବାକୁ ଉଦ୍ୟମ କରିଥିଲେ । ମାତ୍ର ସେ ଲୁଚାଇବାରେ ବିଫଳ ହେବାରୁ ଘଟଣା ସ୍ଥଳରୁ ମୃତ ଦେହକୁ ଛାଡ଼ି ଫେରାର ହୋଇଯାଇଥିଲା । ହୋଟେଲ ଅନ୍ୟ କର୍ମଚାରୀ ମୃତ ଦେହକୁ ଦେଖି ପୁଲିସକୁ ସୂଚନା ଦେଇଛନ୍ତି । ଖବର ପାଇ ପୀତାମ୍ବରଙ୍କ ପରିବାର ଲୋକ ମଧ୍ୟ ଭୁବନେଶ୍ୱରରେ ପହଁଚିଛନ୍ତି । ସାଇଣ୍ଟିଫିକ୍ ଟିମ୍ ଏବଂ ପୁଲିସ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।