ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଜନତା ମଇଦାନରେ ଜନସଭାକୁ ସମ୍ବୋଧିତ କରିବା ସହିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ । ପରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରବଳ ଜନସମାଗମର ସମ୍ଭାବନା ରହିଥିବାବେଳେ କମିଶନରେଟ୍ ପୁଲିସ କିଛି ରାସ୍ତାରେ ଟ୍ରାଫିକ୍ କଟକଣା ଲାଗୁ କରିଛି ।
ମୋଦୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜୟଦେବବିହାରରୁ ନାଲ୍କୋ ଛକ ରାସ୍ତା ଓ ଏହାର ଗଳି ରାସ୍ତାଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିବ । ୧୬ ନଂ ଜାତୀୟ ରାଜପଥରେ କ୍ରାଉନ୍ ହୋଟେଲ ଓ ଆଚାର୍ଯ୍ୟବିହାରଠାରୁ ସର୍ଭିସ ରାସ୍ତାରେ ଗାଡିଗୁଡିକ ଜୟଦେବ ବିହାର ଆଡ଼କୁ ଯାଇପାରିବେନି ।
ସେହିପରି ନନ୍ଦନକାନନ ପଟୁ ଜୟଦେବବିହାର ଯିବାକୁ ଚାହୁଁଥିବା ଗାଡ଼ି ଡମଣା ଛକଠାରୁ ବାମ ମୋଡ ନେଇ ଗୁରୁ କେଳୁ ଚରଣ ପାର୍କକୁ ଯିବ । ସେଠାରୁ ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ଯ୍ୟ ବିହାରକୁ ଯାଇପାରିବେ । ନଚେତ୍, ଶିଖରଚଣ୍ଡିରୁ ପଥରଗାଡି଼ଆ ଦେଇ ଡିଏନ୍ ସ୍କୁଲଠାରେ ବାହାରି କଳିଙ୍ଗଷ୍ଟୁଡିଓ ଛକ ଦେଇ ଫାୟାରଷ୍ଟେସନ ଛକରେ ଏନ୍ଏଚ୍-୧୬କୁ ଛୁଇଁପାରିବେ ।
ସେହିପରି ଜୟଦେବବିହାରରୁ ନନ୍ଦନକାନନ ଆଡ଼େ ଯାଉଥିବା ଗାଡ଼ି ଆଚାର୍ଯ୍ୟବିହାର ପଟେ ସୈନିକ ସ୍କୁଲ ଦେଇ ଗୁରୁ କେଳୁଚରଣ ପାର୍କ ଦେଇ ଡମଣା ଛକରେ ବାହାରିବେ । ନଚେତ୍, ଫାୟାରଷ୍ଟେସନ ଛକରୁ କଳିଙ୍ଗ ଷ୍ଟୁଡିଓ ଛକ ରାସ୍ତାରେ ଡିଏନ୍ ସ୍କୁଲରୁ ପଥରଗାଡି଼ଆ ଦେଇ ଶିଖରଚଣ୍ଡିରେ ବାହାରିପାରିବେ ।
ନୟାପଲ୍ଲୀ ବେହେରା ସାହି ପଟୁ ଜୟଦେବବିହାର ଆଡକୁ ଆସୁଥିବା ଯାନବାହାନଗୁଡି଼କ ଜୟଦେବିହାରକୁ ନ ଯାଇ ବେହେରା ସାହିଠାରୁ ଆଚାର୍ଯ୍ୟବିହାର କିମ୍ବା ସିଆର୍ପି ଛକ ହୋଇ ଯାଇପାରିବେ।
କଟକ ପଟୁ ଆସୁଥିବା ଗାଡ଼ି ଆଚାର୍ଯ୍ୟ ବିହାର ଓଭର ବ୍ରିଜ ଶେଷଠାରେ ଥିବା କଟ୍ ଦେଇ ସର୍ଭିସ୍ ରୋଡ୍ ଦେଇ ଜୟଦେବ ବିହାର ଆଡ଼କୁ ଯାଇପାରିବେ ନାହିଁ ।
ସେହିପରି ବରମୁଣ୍ଡା ପଟୁ ଆସୁଥିବା ଯାନ ଗୁଡ଼ିକ କ୍ରାଉନ ହୋଟେଲଠାରୁ ସର୍ଭିସ୍ ରୋଡ୍ ଦେଇ ଜୟଦେବ ବିହାର ଆଡ଼କୁ ଯାଇପାରିବେ ନାହିଁ ।
ଆସନ୍ତା ୧୭ ତାରିଖ ସକାଳ ସାଢ଼େ ୭ଟାରୁ ଅପରାହ୍ଣ ୩ଟା ଯାଏଁ ଏହି କଟକଣା ବଳବତ୍ତର ରହିବ । ଜରୁରୀ ସେବାରେ ନିୟୋଜିତ ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡି ପାଇଁ ଏହି କଟକଣା ଲାଗୁ ହେବନି ।