ଅହମଦାବାଦ: ଦେଶର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଯାଇଛି । ଗୁଜୁରାଟ ଅହମଦାବାଦ ଅଡ଼ାଲଜରେ ଥିବା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଯାଇଛି । ଏଥିରେ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆଙ୍କ ସହ ଗୁଜରାଟୀ ଭକ୍ତ ମଧ୍ୟ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ‘ଫେରି ଯାଓ ମହାବାହୁ’ ନାମରେ ନାଟକ ପରିବେଷଣ କରାଯାଇଥିଲା । ଏହି ନାଟକରେ ମହାଲକ୍ଷ୍ମୀଙ୍କ ଚରିତ୍ରକୁ ଉପସ୍ଥାପନ କରାଯାଇଥିଲା । ଯାହାକି ସମସ୍ତଙ୍କ ହୃଦୟକୁ ଛୁଇଁ ଥିଲା । ମହାପ୍ରଭୁଙ୍କୁ ମନ୍ଦିରକୁ ଆଣିଲା ପରେ ନାମ ସଙ୍କୀର୍ତ୍ତନ କରାଯାଇଥିଲା ।
ଦୀର୍ଘ ନଅ ଦିନ ଧରି ମହାପ୍ରଭୁଙ୍କ ଘୋଷ ଯାତ୍ରା ଚାଲିଥିଲା । ମନ୍ଦିରରେ ଭଜନ ସମାରୋହ ସହ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ ଚାଲିଥିଲା । ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ କରାଯିବାର କାର୍ଯ୍ୟକ୍ରମ ରହିଥିବା ନେଇ ମନ୍ଦିର କମିଟିର ସଦସ୍ୟ ସୂଚନା ଦେଇଛନ୍ତି ।