ଖବର ଓଡ଼ିଶା: କଟକ ପରେ କମିଶନରେଟ ପୁଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି । ଏକ କୁଖ୍ୟାତ ଅନ୍ତଃରାଜ୍ୟ ବନ୍ଧୁକ ମାଫିଆ ଗ୍ୟାଙ୍ଗକୁ ପୁଲିସ ଧରିବାରେ ସଫଳ ହୋଇଛି । ବିଭିନ୍ନ ଅପରାଧରେ ଜଡ଼ିତ ଥିବା ଅଭିଯୋଗରେ ବନ୍ଧୁକ ମାଫିଆ ଗ୍ୟାଙ୍ଗ୍ର ୬ ସଦସ୍ୟଙ୍କୁ କମିଶନରେଟ ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି । ଏ ନେଇ ମଙ୍ଗଳବାର ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।
ପୁଲିସ କମିଶନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂଙ୍କ ସୂଚନା ମୁତାବକ, କମିଶନରେଟ ପୁଲିସ ଏମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ଶେଷରେ ଏମାନଙ୍କୁ ଧରିବାରେ ପୁଲିସ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଗ୍ୟାଙ୍ଗ୍ର ମୁଖ୍ୟ କେନ୍ଦ୍ରାପଡ଼ା ମାର୍ଶାଘାଇ ଅଞ୍ଚଳର ରଶ୍ମିରଂଜନ ସ୍ଵାଇଁ(୩୫), ପାଟକୁରା ଅଞ୍ଚଳର ଉତ୍କଳ କେଶରୀ ଖୁଣ୍ଟିଆ ଓରଫ ଲୁଲୁ(୩୩), କଟକ ନିଆଳି ଅଞ୍ଚଳର କୃଷ୍ଣଚନ୍ଦ୍ର ଜେନା ଓରଫ ଆକାଶ(୨୬), ଚିରଞ୍ଜୀବୀ ଜେନା ଓରଫ ଚିକୁ(୨୫), ଖୋର୍ଦ୍ଧା ଜଟଣୀ ଅଞ୍ଚଳର ମହମ୍ମଦ ସମଶେର ଓରଫ ହାମା(୩୪) ଓ ଶେଖ୍ ଆଝାରୁଦ୍ଦିନ ଓରଫ ଅଜୁ(୨୧) । ସେମାନଙ୍କ ନିକଟରୁ ୫ଟି ବନ୍ଧୁକ, ୯ ରାଉଣ୍ଡ ଗୁଳି, ଗୋଟିଏ ବାଇକ୍ ଓ ଗୋଟିଏ ସ୍କୁଟି ଜବତ କରାଯାଇଛି ।
ଏହି କୁଖ୍ୟାତ ବନ୍ଧୁକ ମାଫିଆ ଗ୍ୟାଙ୍ଗ ବିହାରରୁ ବନ୍ଧୁକ ଆଣି ଓଡ଼ିଶାରେ ଯୋଗାଉଥିଲେ । ଖାଲି ଏତିକି ନୁହେଁ, ବେଆଇନ ବାଲି ଓ ପଥର ଚାଲାଣ, ନିଶା କାରବାର, ଦାଦାବଟି, ଗୋଚାଲାଣ ଭଳି ସଙ୍ଗୀନ ଅପରାଧରେ ଏମାନଙ୍କର ସମ୍ପୃକ୍ତି ରହିଛି । ନିଜର ପତିଆରା ଜାହିର କରିବା ପାଇଁ କଥା କଥାକେ ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କରୁଥିଲେ । ଗ୍ୟାଙ୍ଗରେ ଆହୁରି ୧୨ରୁ ଊର୍ଦ୍ଧ୍ୱ ଅପରାଧୀ ସାମିଲ ଥିବା ପୁଲିସ କମିଶନର ଶ୍ରୀ ପଣ୍ଡା କହିଛନ୍ତି । ଅଧିକ ଖୋଳତାଡ଼ ପାଇଁ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ, ଗତକାଲି କଟକ କମିଶନରେଟ ପୁଲିସ ୫ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଥିଲା । ଅଭିଯୁକ୍ତଙ୍କଠାରୁ ତିନି ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା, ମୋବାଇଲ ଫୋନ ଓ ଲୁହା ରଡ ଜବତ କରାଯାଇଛି । ମାଲଗୋଦାମ ଥାନା ପୁଲିସ ତିନି ଜଣ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ଜଗତପୁର ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି ।