ନୂଆଦିଲ୍ଲୀ: ନଗଦ କାରବାର ହ୍ରାସ କରିବା ପ୍ରୟାସରେ ସରକାର ଶନିବାର ଘୋଷଣା କରିଛନ୍ତି ଯେ ଆସନ୍ତା ନଭେମ୍ବର ୧୫ ତାରିଖ ଠାରୁ ବୈଧ ଏବଂ କାର୍ଯ୍ୟକ୍ଷମ ଫାସଟ୍ୟାଗ୍ ବିନା ଜାତୀୟ ରାଜପଥ ଟୋଲ୍ ପ୍ଲାଜାରେ ପ୍ରବେଶ କରୁଥିବା ଯାନଗୁଡ଼ିକ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ମାଧ୍ୟମରେ ଦେୟ କଲେ ସାଧାରଣ ଟୋଲ୍ ପରିମାଣର ୧.୨୫ ଗୁଣ ଆଦାୟ କରାଯିବ।
ବର୍ତ୍ତମାନ ବୈଧ ଫାସଟ୍ୟାଗ ନଥିବା ଯାନଗୁଡ଼ିକୁ ନଗଦରେ ଦୁଇଗୁଣ ଟୋଲ୍ ଫି ଦେବାକୁ ପଡ଼ିବ। ଉଦାହରଣ ସ୍ୱରୂପ ଯଦି କୌଣସି ଯାନକୁ ୧୦୦ ଟଙ୍କା ଉପଭୋକ୍ତା ଶୁଳ୍କ ଦେବାକୁ ପଡ଼େ ତେବେ ନଗଦରେ ଦେୟ କଲେ ୨୦୦ ଏବଂ ୟୁପିଆଇ ମାଧ୍ୟମରେ ଦେୟ କଲେ ୧୨୫ ଶୁଳ୍କ ଦେବାକୁ ପଡିବ।
ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଜାତୀୟ ରାଜପଥରେ ଡିଜିଟାଲ୍ ପେମେଣ୍ଟକୁ ଉତ୍ସାହିତ କରିବା ଏବଂ ଫାସଟ୍ୟାଗ ବ୍ୟବହାରକାରୀ ନଥିବା ଲୋକଙ୍କ ପାଇଁ ଟୋଲ୍ ପ୍ଲାଜାରେ ନଗଦ କାରବାରକୁ ଦୂର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ସରକାର ଜାତୀୟ ରାଜପଥ ଶୁଳ୍କ (ଦର ଏବଂ ସଂଗ୍ରହ ନିର୍ଣ୍ଣୟ) ନିୟମ ୨୦୦୮ ସଂଶୋଧନ କରିଛନ୍ତି।
ନୂତନ ନିୟମ ଅନୁଯାୟୀ ବୈଧ ଏବଂ କାର୍ଯ୍ୟକ୍ଷମ ଫାସଟ୍ୟାଗ ବିନା ଟୋଲ୍ ପ୍ଲାଜାରେ ପ୍ରବେଶ କରୁଥିବା ଯାନଗୁଡ଼ିକ ପାଇଁ ଯଦି ଫି ନଗଦରେ ପୈଠ କରାଯାଏ ତେବେ ପ୍ରଯୁଜ୍ୟ ଉପଭୋକ୍ତା ଶୁଳ୍କର ଦୁଇଗୁଣ ଆଦାୟ କରାଯିବ।
ଯେଉଁମାନେ ୟୁପିଆଇ ମାଧ୍ୟମରେ ଶୁଳ୍କ ଦେବାକୁ ବାଛନ୍ତି ସେମାନଙ୍କଠାରୁ ସେହି ବର୍ଗର ଯାନ ପାଇଁ ପ୍ରଯୁଜ୍ୟ ଉପଭୋକ୍ତା ଶୁଳ୍କର କେବଳ ୧.୨୫ ଗୁଣ ଆଦାୟ କରାଯିବ। ବିବୃତ୍ତିରେ କୁହାଯାଇଛି ଯେ ଏହି ବିଜ୍ଞପ୍ତି ୨୦୨୫ ନଭେମ୍ବର ୧୫ରୁ କାର୍ଯ୍ୟକାରୀ ହେବ। ଜାତୀୟ ରାଜପଥ ଶୁଳ୍କ (ଦର ନିର୍ଣ୍ଣୟ ଏବଂ ସଂଗ୍ରହ) ନିୟମ ୨୦୦୮ରେ ସଦ୍ୟତମ ସଂଶୋଧନ ଦକ୍ଷ ଟୋଲ୍ ସଂଗ୍ରହ ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବା ଏବଂ ଟୋଲ୍ ପ୍ଲାଜାରେ ଭିଡ଼ ହ୍ରାସ କରିବା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।
ସଂଶୋଧିତ ନିୟମଗୁଡ଼ିକ ଡିଜିଟାଲ୍ ପେମେଣ୍ଟ ଗ୍ରହଣକୁ ଉତ୍ସାହିତ କରିବ। ଟୋଲ୍ କାର୍ଯ୍ୟରେ ସ୍ୱଚ୍ଛତା ବୃଦ୍ଧି କରିବ ଏବଂ ଜାତୀୟ ରାଜପଥରେ ସାମଗ୍ରିକ ଉପଭୋକ୍ତା ଅଭିଜ୍ଞତାକୁ ଉନ୍ନତ କରିବ।
ଅଧିକ ପଢ଼ନ୍ତୁ: ସନ୍ଥ ପ୍ରେମାନନ୍ଦଙ୍କ ପଦଯାତ୍ରା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ