ନୂଆଦିଲ୍ଲୀ, ମାତ୍ର ୧୦ ମିନିଟରେ ଲୋକଙ୍କ ପାଖରେ ଘରର ରାସନ ସାମଗ୍ରୀ ପହଁଚାଉଥିବା ଅନଲାଇନ୍ ଡେଲିଭରି ଆପ୍ ବ୍ଲିଙ୍କିଟ୍ (Blinkit) ନୂଆ ପ୍ରୟାସ ଆରମ୍ଭ କରିଛି । ଘର ସାମଗ୍ରୀ ଭଳି ଘର ପାଖରେ ୧୦ ମିନିଟରେ ପହଁଚିବ ଆମ୍ବୁଲାନ୍ସ । ଯାହା ବିଶ୍ୱରେ ପ୍ରଥମ ବୋଲି କହିଛନ୍ତି ଜୁମାଟୋ (Zomato) ସିଇଓ ଦିପେନ୍ଦର ଗୋୟଲ୍ ।
ଦିପେନ୍ଦରଙ୍କ ସୂଚନା ମୁତାବକ, ଶୁକ୍ରବାର ବ୍ଲିଙ୍କିଟ୍ (Blinkit) ଆମ୍ବୁଲାନ୍ସ ସେବା ଆରମ୍ଭ କରିଛି । ମାତ୍ର ୧୦ ମିନିଟରେ ଘର ପାଖକୁ ଆସିବ ଆମ୍ବୁଲାନ୍ସ । ମେଡ଼ିକାଲ ଆସିଷ୍ଟାଣ୍ଟ ସହିତ ଆମ୍ବୁଲାନ୍ସ ଆସିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଗୁରୁଗ୍ରାମରେ ଏହାର ଶୁଭାରମ୍ଭ ହୋଇଛି । ଯଦି ଏହା ସଫଳ ହୁଏ ତେବେ ଆଗାମୀ ଦିନରେ ଦେଶର ଅନ୍ୟ ସହରମାନଙ୍କରେ ଆରମ୍ଭ କରାଯିବ ବୋଲି କହିଛନ୍ତି ଦିପେନ୍ଦର ।
ଆମ୍ବୁଲାନ୍ସରେ ସମସ୍ତ ଜରୁରୀ ସାମଗ୍ରୀ ରହିଛି । ଅକ୍ସିଜେନ୍ ସିଲିଣ୍ଡର, ଏଇଡି, ସ୍ଟ୍ରେଚର୍ , ମନିଟର୍, ସକସନ୍ ମେସିନ୍, ଇଞ୍ଜେକସନ୍ ଇତ୍ୟାଦି । ଏହା ସହିତ ପ୍ରତ୍ୟେକ ଆମ୍ବୁଲାନ୍ସରେ ଜଣେ ପାରା ମେଡ଼ିକାଲ ଷ୍ଟାଫ୍, ଜଣେ ଆସିଷ୍ଟାଣ୍ଟ୍, ଦକ୍ଷ ଡ୍ରାଇଭର ମଧ୍ୟ ରହିବେ । ଦିପେନ୍ଦର କହିଛନ୍ତି, ଲାଭ କେବଳ ମୁଖ୍ୟ ଉଦ୍ଦେଶ୍ୟ ନୁହେଁ । ଜରୁରୀ ସମୟରେ ଗ୍ରାହକଙ୍କୁ ଉଚିତ ମୂଲ୍ୟରେ ସେବା ଯୋଗାଇବା ଲକ୍ଷ୍ୟ ରହିଛି ।