ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ (ଆଇଟିଆର୍) ଦାଖଲର ସମୟ ସୀମା ଦ୍ରୁତଗତିରେ ଶେଷ ହେବାକୁ ଯାଉଛି। ଆଜି ଜୁଲାଇ ୩୧ ତାରିଖ ଏବଂ ଆୟକର ଦାଖଲ କରିବାର ଶେଷ ତାରିଖ। ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଏପର୍ଯ୍ୟନ୍ତ ୬ କୋଟି ଆୟକରଦାତା ସେମାନଙ୍କର ଆୟକର ଦାଖଲ କରିସାରିଛନ୍ତି। ଆୟକର ଦାଖଲ କରିବାରେ ଡେଡଲାଇନ୍ ଆଗକୁ ବଢ଼ିବ କି ନାହିଁ, ସେନେଇ କୌଣସି ସଂକେତ ମିଳିନାହିଁ। ତେଣୁ ଯେଉଁମାନେ ଏପର୍ଯ୍ୟନ୍ତ ଏହି କାମ କରିନାହାନ୍ତି, ରାତି ୧୧ଟା ୫୯ ମିନିଟ୍ ପୂର୍ବରୁ ଶେଷ କରିଦେବା ଉଚିତ। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ସରକାର ଜରିମାନ କରିବେ।
ଆୟକର ବିଭାଗ ଆୟକର ଦାଖଲ କରିବା ନେଇ ଜୁଲାଇ ୩୧ ତାରିଖକୁ ନିର୍ଦ୍ଧାରଣ କରିଛନ୍ତି। ଏହା ଆଜି ଶେଷ ହେବାକୁ ଯାଉଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରାଜସ୍ବ ସଚିବ ସଂଜୟ ମାଲହୋତ୍ରା ଏସଂପର୍କରେ କହିଛନ୍ତି ଯେ, ଆର୍ଥିକ ବର୍ଷ ୨୦୨୩-୨୪ରେ ଅର୍ଜିତ ଆୟ ପାଇଁ ଏପର୍ଯ୍ୟନ୍ତ ପାଖାପାଖି ୬ କୋଟି ଲୋକ ଦାଖଲ କରିସାରିଛନ୍ତି। ସୂଚନାଯୋଗ୍ୟ, ଗତ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ୮.୬୧ କୋଟି ଆଇଟିଆର ଦାଖଲ ହୋଇଥିଲା।