ନୂଆଦିଲ୍ଲୀ: ଆମେରିକାର ଇଲେକ୍ଟ୍ରିକ କାର ନିର୍ମାତାକାରୀ କମ୍ପାନି ଟେସଲା ଭାରତରେ ନିଜର ପ୍ଲାଣ୍ଟ ସ୍ଥାପନ କରିବା ଯୋଜନା ଦିଗରେ ଆଗକୁ ବଢୁଛି । କମ୍ପାନିର ଅଧିକାରୀ ଏପ୍ରିଲରେ ଭାରତ ଗସ୍ତ କରିବେ । ଏହି ସମୟରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ଅନ୍ୟ ପ୍ରମୁଖ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ବୈଠକ କରିବେ । ବୈଠକରେ ଟେସଲାର ନିବେଶ ଯୋଜନା, ସମ୍ଭାବିତ ଫ୍ୟାକ୍ଟ୍ରି ସ୍ଥାନ ଓ ଭାରତରେ ଇଲେକ୍ଟ୍ରିକ କାର ନିର୍ମାଣ ସଂପର୍କିତ ସରକାରୀ ନିୟମ ଉପରେ ଆଲୋଚନା କରାଯିବ ।
ସୂଚନା ଅନୁଯାୟୀ, ଟେସଲା ଭାରତରେ ନିଜର ପ୍ଲାଣ୍ଟ ସ୍ଥାପନ ପାଇଁ ୩ରୁ ୫ ବିଲିୟନ ଡଲାର ନିବେଶ କରିପାରେ । ଏହି ପଦକ୍ଷେପ ଭାରତ ସରକାରଙ୍କ ଦ୍ୱାର ଉପସ୍ଥାପିତ ଇଭି ନୀତି ଉପରେ ପ୍ରେରିତ ହୋଇପାରେ । ଭାରତ ସରକାରଙ୍କ ଏହି ନୀତିରେ ବିଦେଶୀ କମ୍ପାନିକୁ ଆମଦାନୀ ଶୁଳ୍କରେ କୋହଳ ପ୍ରଦାନ କରିଥାଏ ।
ଭାରତ ସରକାରଙ୍କ ନୀତି ଅନୁସାରେ ଯଦି କୌଣସି କମ୍ପାନି ଭାରତରେ ନିଜର ପ୍ଲାଣ୍ଟ ସ୍ଥାପିତ କରେ ଓ ଅତି କମରେ ୫୦୦ ମିଲିୟନ ଡଲାର ନିବେଶ କରେ ତେବେ କମ୍ପାନିକୁ ୧୫ ପ୍ରତିଶତର କମ ଆମଦାନୀ ଶୁଳ୍କ ଉପରେ ପ୍ରତି ବର୍ଷ ୮ ହଜାର ଇଲେକ୍ଟ୍ରିକ ଗାଡି ଆମଦାନୀ କରିବାର ଅନୁମତି ମିଳିବ । କିନ୍ତୁ କମ୍ପାନିକୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେ, ଅତି କମରେ ୫୦ ପ୍ରତିଶତ ନିବେଶ ୩ ବର୍ଷ ଭିତରେ କରିବାକୁ ପଡିବ ଏବଂ ଆଗାମୀ ୫ ବର୍ଷରେ ଉତ୍ପାଦନ କରିବାକୁ ପଡିବ ।
ଏହି ସହରରେ ଖୋଲିପାରେ ଫ୍ୟାକ୍ଟ୍ରି
ଟେସଲା ଭାରତରେ ନିଜର ଫ୍ୟାକ୍ଟ୍ରି ପାଇଁ ସମ୍ଭାବିତ ସ୍ଥାନର ସନ୍ଧାନରେ ରହିଛି । ସୂଚନା ଅନୁସାରେ ମହାରାଷ୍ଟ୍ର ଓ ଗୁଜରାଟ ଟେସଲା ପାଇଁ ପ୍ରମୁଖ ବିକଳ୍ପ ହୋଇପାରେ । ଭାରତରେ ଇଭିର ବଢୁଥିବା ଚାହିଦା ଓ ବଜାରକୁ ଆଖି ଆଗରେ ରଖି ଟେସଲା ବଡ ନିବେଶ କରିବାକୁ ଅଣ୍ଟା ଭିଡିଛି ।