ବ୍ରହ୍ମପୁର: ନୂତନ ବର୍ଷର ପ୍ରାରମ୍ଭରୁ ଓଡ଼ିଶାରେ ପହଞ୍ଚିଲା ଡବଲ ଡେକର ବା ଦୁଇ ମହଲା ବିଶିଷ୍ଟ ବସ। ଯାହା ଗତ ୨୮ ତାରିଖରୁ ମହାରାଷ୍ଟ୍ରର ପୁନେରୁ ବାହାରି ଆନ୍ଧ୍ର ପ୍ରଦେଶ ସୀମାନ୍ତ ଅତିକ୍ରମ କରି ବ୍ରହ୍ମପୁରରେ ପହଞ୍ଚିଥିଲା। ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ମହାରାଷ୍ଟ୍ରରୁ ପାଞ୍ଚଟି ଇଲେକ୍ଟ୍ରି ଡବଲ ଡେକର ବସ ଓଡିଶା ଅଭିମୁଖେ ବାହାରିଥିଲl। ଡିସେମ୍ବର ୨୮ ତାରିଖରେ ଦୁଇଟି ବସ ବାହାରିଥିବା ବେଳେ ୩୧ ତାରିଖରେ ଗୋଟିଏ ଓ ଜାନୁଆରୀ ଏକ ତାରିଖରେ ଆଉ ଦୁଇଟି ବସ ଓଡିଶା ଅଭିମୁଖେ ବାହାରିଥିଲା।
ତେବେ ବ୍ରହ୍ମପୁରରେ ଦୁଇଟି ବସ ପହଞ୍ଚିବା ପରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲା। ତେବେ ଏହି ଡବଲ ଡେକର ବସ ଭାରତ ବର୍ଷରେ ପ୍ରଥମ ହୋଇଥିବା ବେଳେ ବସଟିରେ ସବୁ ପ୍ରକାର ବ୍ୟବସ୍ଥା ମଧ୍ୟରେ ଏହାର ଗଠନ ଶୈଳୀ ଅତି ଆକର୍ଷଣୀୟ ହୋଇଛି। ବସର ସମ୍ମୁଖ ଭାଗ ଦୃଶ୍ୟଟି ଯେଭଳି ଆକର୍ଷଣୀୟ ହୋଇଛି ପ୍ରଥମତଃ ଯାତ୍ରୀ ମାନେ ଦେଖିବା ମାତ୍ରେ କିଛି ସମୟ ଅଟକି ଚାହିଁ ରହିବେ ଓ ପରେ ନିଶ୍ଚିତ ରୂପେ ଉକ୍ତ ବସରେ ବସି ଯାତ୍ରା କରିବା ପାଇଁ ମନ ବଳାଇବେ। ବସ୍ ଟିର ସମ୍ମୁଖ ଭାଗର ଦୃଶ୍ୟ ଯେତିକି ମନଲୋଭା, ଭିତର ପାର୍ଶ୍ଵର ଦୃଶ୍ୟ ଆହୁରି ମଜାଦାର। ବସ୍ ର ସମ୍ମୁଖ ଭାଗରେ ପୁରୀ ଶ୍ରୀମନ୍ଦିର, କୋଣାର୍କ ଚକ୍ରର ଚିହ୍ନ ସହିତ ଧଉଳି ଶାନ୍ତି ସ୍ତୁପ, କଟକ ବାଲିଯାତ୍ରାର ଝଲକ ଓ ଡୋର ନିକଟରେ ନୃତ୍ୟ ଅବସ୍ଥାରେ ଦୁଇଜଣ ନର୍ତ୍ତକୀଙ୍କ ଛବି ସହିତ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମାନଙ୍କର ଚିତ୍ର ଓ କଳା ସଂସ୍କୃତିର ଛାପ ରହିଛି।
ଏଥିସହ ଗାଡ଼ିର ବ୍ୟାଟେରୀ ୨୪୦ କିଲୋୱାଟ ହୋଇଥିବା ବେଳେ ଏହା ସଂପୂର୍ଣ୍ଣ ଭାବେ ଚାର୍ଜ ହେବା ପାଇଁ ଦୁଇରୁ ଅଢେଇ ଘଣ୍ଟା ସମୟ ନେଉଥିବା ବେଳେ ଘଣ୍ଟାପ୍ରତି ବେଗ ୪୫ ରୁ ୫୦ କିଲୋମିଟର ରହିଛି। ବ୍ୟାଟେରୀ ଥରେ ଚାର୍ଜ ହେଲେ ତିନିଶହ କିଲୋମିଟର ପର୍ଯ୍ୟନ୍ତ ଯାଇ ପାରୁଛି। ଯାତ୍ରୀ ମାନଙ୍କର ସୁବିଧା ପାଇଁ ଟୁ ବାଇ ଟୁ ସିଟ୍,ଇଲେକ୍ଟ୍ରୋନିକ ବୋର୍ଡ, ଏମର୍ଜେନ୍ସି ଡୋର, ସିସି କ୍ୟାମେରା ଓ ସଂପୂର୍ଣ୍ଣ ରୂପେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ରହିଛି ଏବଂ ବସ୍ ଟିରେ ମୋଟ ୬୦ ଜଣ ଯାତ୍ରୀ ବସି ଯାତାୟାତ କରି ପାରିବେ। ଉକ୍ତ ବସରେ ଯାତ୍ରୀ ଆରାମରେ ବସି ତାହାର ଚତୁପlର୍ଶ୍ୱର ଦୃଶ୍ୟକୁ ମନଭରି ଉପଭୋଗ କରି ପାରିବେ।