ନୂଆଦିଲ୍ଲୀ: ଯଶପ୍ରୀତ ବୁମରା ଓ ମହମ୍ମଦ ଶାମି ଭାରତୀୟ ଦଳର ଏମିତି ଦୁଇ ବୋଲର ଯାହାଙ୍କ ପ୍ରଦର୍ଶନ ଉପରେ ଦଳର ସଫଳତା ନିର୍ଭର କରେ । ମାତ୍ର ଆହତ ଜନିତ ସମସ୍ୟା କାରଣରୁ ଏହି ଦୁଇ ବୋଲର ଦଳ ପାଇଁ ସବୁଠୁ ବଡ ଚିନ୍ତାର କାରଣ ପାଲଟିଛନ୍ତି । ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ପଞ୍ଚମ ଟେଷ୍ଟରେ ବୁମରା ଆହତ ହେବା ଏବେ ଦଳ ପାଇଁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ଶାମି ବି ସଂପୂର୍ଣ୍ଣ ଫିଟ୍ ନାହାନ୍ତି । ଏମିତିରେ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଦୁଇ ବୋଲରଙ୍କ ଖେଳିବା ନେଇ ସଂଶୟ ଦେଖା ଦେଇଛି ।
ମହମ୍ମଦ ଶାମି ୨୦୨୪ରେ ରଣଜୀ ଟ୍ରଫି ଓ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଖେଳି ଘରୋଇ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିଥିଲେ । ମାତ୍ର ତାଙ୍କର ଆଣ୍ଠୁ ସମସ୍ୟା ଦେଖା ଦେବାରୁ ତାଙ୍କ ଖେଳିବା ଉପରେ ବ୍ରେକ ଲାଗିଛି । ଏହି କାରଣରୁ ଶାମିଙ୍କୁ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ପଠାଗଲା ନାହିଁ । ଏଥିସହ ସେ ବିଜୟ ହଜାରେ ଟ୍ରଫିର ପ୍ରାରମ୍ଭିକ ମ୍ୟାଚ୍ ଖେଳି ନ ଥିଲେ । ପରେ ସେ ବିଜୟ ହଜାରେ ଟ୍ରଫିରେ ପ୍ରତ୍ୟାବର୍ତ୍ତନ କରିଥିଲେ ।
ଆଶା କରାଯାଉଥିଲା, ମହମ୍ମଦ ଶାମି ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଓ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଦଳରେ ସାମିଲ ହେବେ । ମାତ୍ର ବିଶେଷଜ୍ଞଙ୍କ କହିବା କଥା ଯେ ପର୍ଯ୍ୟନ୍ତ ଶାମି ସଂପୂର୍ଣ୍ଣ ଫିଟ୍ ହୋଇ ନାହାନ୍ତି ସେ ପର୍ଯ୍ୟନ୍ତ ମଇଦାନକୁ ଓହ୍ଲାଇବା ଉଚିତ୍ ନୁହେଁ । ତରବରିଆ ହୋଇ କ୍ରିକେଟ୍ ପ୍ରତ୍ୟାବର୍ତ୍ତନ କଲେ ତାଙ୍କ ଆହତ ସମସ୍ୟା ଆହୁରି ବଢିପାରେ ।
ସେପଟେ ଯଶପ୍ରୀତ ବୁମରା ଆହତ ହେବା କାରଣରୁ ପଞ୍ଚମ ଟେଷ୍ଟର ଦ୍ୱିତୀୟ ଇନିଂସରେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇ ନ ଥିଲେ । ତେବେ ତାଙ୍କର ଆହତ ସମସ୍ୟା କେତେ ଗମ୍ଭୀର ତାହା ସ୍ପଷ୍ଟ ହୋଇ ନାହିଁ । ଯଦି ବୁମରା ଓ ଶାମି ଉଭୟ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡନ୍ତି ତେବେ ଭାରତୀୟ ଦଳ ପାଇଁ ଏହା ବହୁତ ବଡ ଝଟକା ହେବ । ତେବେ ବିସିସିଆଇ ଦୁଇ ଖେଳାଳିଙ୍କୁ ନେଇ କୌଣସି ରିସ୍କ ଉଠାଇବାକୁ ଚାହୁଁନି । ସଂପୂର୍ଣ୍ଣ ଫିଟ୍ ହେଲେ ହେଁ ଉଭୟଙ୍କୁ ଦଳରେ ସାମିଲ କରାଯିବ ବୋଲି ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି ।