ପାଟନା: ବିହାରର ରାଜଧାନୀ ଆଲମଗଞ୍ଜର ଏକ ପରିତ୍ୟକ୍ତ ଜମିରୁ ଏକ ପ୍ରାଚୀନ ଶିବ ମନ୍ଦିର ଠାବ ହୋଇଛି। ଏହି ମନ୍ଦିରରେ ଏକ ଶିବଲିଙ୍ଗ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କର ବିଶ୍ୱାସ ଯେ ଏହି ମନ୍ଦିର ପାଖାପାଖି ୫୦୦ ବର୍ଷର ପୁରୁଣା। ରବିବାର ଭୂସ୍ଖଳନ ପରେ ଖନନ ବେଳେ ଏହି ମନ୍ଦିର ମିଳିଥିଲା। ସ୍ଥାନୀୟ ଲୋକେ ଏବେ ଏହି ମନ୍ଦିରର ମରାମତି କରୁଛନ୍ତି। ଆଉ ସେଠାରେ ପୂଜାର୍ଚ୍ଚନା ମଧ୍ୟ ଆରମ୍ଭ ହୋଇଛି।
ଆଲମଗଞ୍ଜ ଥାନା ଅଞ୍ଚଳର ନାରାୟଣ ବାବୁଙ୍କ ରାସ୍ତାରେ ଏହି ଘଟଣା ଘଟିଛି। ରବିବାର ଅପରାହ୍ନରେ ମାଟି ବୁଡ଼ିବାକୁ ଲାଗିଥିଲା। ସେଠାରେ ଲୋକମାନେ ସଫେଇ କରିବା ପରେ ପୁରୁଣା ମନ୍ଦିରର ଉପର ଭାଗକୁ ଦେଖିଥିଲେ। ମାଟି ଆଡକୁ ଖୋଳିବା ପରେ ପାଖାପାଖି ୫ ଫୁଟ ଉଚ୍ଚର ଏକ ମନ୍ଦିର ବାହାରିଥିଲା। ଏହି ମନ୍ଦିର ଭିତରେ କଳା ପଥରର ଏକ ଉଜ୍ଜ୍ୱଳ ଶିବଲିଙ୍ଗ ମଧ୍ୟ ସ୍ଥାପନ କରାଯାଇଥିଲା। ମନ୍ଦିରର ସ୍ତମ୍ଭ ଉପରେ ମଧ୍ୟ ସୁନ୍ଦର ଚିତ୍ର ଦେଖିବାକୁ ମିଳିଥିଲା।
ମନ୍ଦିର ମିଳିବା ଖବର ପ୍ରଚାରିତ ହେବା ମାତ୍ରେ ଲୋକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଥିଲା। ସେଠାରେ ମହିଳାମାନେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। 'ହର ହର ମହାଦେବ' ଓ 'ଜୟ ଜୟ ଭୋଲେନାଥ' ସ୍ଲୋଗାନ ଅଞ୍ଚଳରେ ଗୁଞ୍ଜରିତ ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବହୁ ବର୍ଷ ତଳେ ସେହି ଜମିରେ ଜଣେ ମହନ୍ତ ରହୁଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ମଧ୍ୟ ସେଠାରେ କିଛି ସମୟ ରହିଥିଲେ। ପରେ ପରିବାରର ଜଣେ ମହିଳା ସଦସ୍ୟ କେଉଁଆଡ଼େ ଯାଇଥିଲେ ଏବଂ ସେହି ସ୍ଥାନଟି ଜନଶୂନ୍ୟ ହୋଇଯାଇଥିଲା। ଧୀରେଧୀରେ ସେଠାରେ ଜଙ୍ଗଲ ବଢିବା ସହ ଲୋକେ ଅଳିଆ ଫିଙ୍ଗିବା ଆରମ୍ଭ କଲେ। ରାସ୍ତା ବନ୍ଦ ଥିବାରୁ ଲୋକେ ଆସିବା ମଧ୍ୟ ବନ୍ଦ କରିଦେଇଥିଲେ।
ସ୍ଥାନୀୟ ଲୋକଙ୍କ କହିବାନୁସାରେ ଶିବଲିଙ୍ଗ ବହୁତ ପ୍ରାଚୀନ ଦେଖାଯାଏ ଏବଂ ଏହା ଏବେ ବି ଚମକଦାର ଏବଂ ଆକର୍ଷଣୀୟ ଅଟେ। ଅନ୍ୟମାନେ ଅନୁମାନ କରୁଛନ୍ତି ଯେ ଏହି ମନ୍ଦିର ପାଖାପାଖି ୫୦୦ ବର୍ଷ ପୁରୁଣା ହୋଇପାରେ। ଲୋକମାନେ ପାରସ୍ପରିକ ସହଯୋଗରେ ମନ୍ଦିରର ସଫେଇ ଓ ନବୀକରଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ସ୍ଥାନୀୟ ଲୋକେ ଏହି ପ୍ରାଚୀନ ମନ୍ଦିରକୁ ପୁରୁଣା ରୂପକୁ ଫେରାଇ ଆଣିବେ ବୋଲି କହିଛନ୍ତି।
ଅଧିକ ପଢ଼ନ୍ତୁ: ମୁଖ୍ୟ ଅଭିଯୁକ୍ତ ହାଇଦ୍ରାବାଦରୁ ଗିରଫ