ନୂଆଦିଲ୍ଲୀ: ଦେଶରେ ଏଚ୍ଏମ୍ପିଭି ଅର୍ଥାତ୍ ହ୍ୟୁମାନ ମେଟାପ୍ୟୁମୋ ଭାଇରସ ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ନାଗପୁରରେ ମଧ୍ୟ ଏହି ଭୂତାଣୁ ସଂକ୍ରମଣର ଶିକାର ହୋଇଛନ୍ତି ୨ ଜଣ। ବର୍ତ୍ତମାନ ସୁଦ୍ଧା ଦେଶରେ ୭ ଜଣ ଏହି ଭୂତାଣୁର ଶିକାର ହୋଇଛନ୍ତି। ବେଙ୍ଗାଲୁରୁ, ନାଗପୁର ଓ ତାମିଲନାଡ଼ୁରେ ୨ଟି ଲେଖାଏଁ ଏବଂ ଅହମ୍ମଦାବାଦରେ ଗୋଟିଏ ମାମଲା ସାମିଲ ରହିଛି। କେନ୍ଦ୍ର ସରକାର କହୁଛନ୍ତି ଯେ, ସଂକ୍ରମଣ ବୃଦ୍ଧି କୋଭିଡ୍ ଭଳି ପରିସ୍ଥିତି ସୃଷ୍ଟି କରିବ ନାହିଁ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସୋମବାର ଏକ ଭିଡିଓ ବିବୃତିରେ କହିଛନ୍ତି ଯେ ଏଚ୍ଏମ୍ପିଭି ଭୂତାଣୁ ନୂଆ ନୁହେଁ। ୨୦୦୧ରେ ପ୍ରଥମେ ଚିହ୍ନଟ ହେବା ପରଠାରୁ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହି ଭୂତାଣୁ ଶ୍ୱାସକ୍ରିୟା ମାଧ୍ୟମରେ ବାୟୁବାହିତ ହୁଏ ଏବଂ ସମସ୍ତ ବୟସ ବର୍ଗର ଲୋକଙ୍କୁ ପ୍ରଭାବିତ କରିପାରେ। ବିଶେଷ କରି ଶୀତ ଓ ବସନ୍ତ ଋତୁରେ ଏହାର ପ୍ରସାର ଦେଖିବାକୁ ମିଳିଥାଏ।
ନିକଟ ଅତୀତରେ ଚୀନରେ ଏଚଏମପିଭି ମାମଲା ବୃଦ୍ଧି ପାଇଥିବା ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଏବଂ ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ (ଏନସିଡିସି) ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉଛି ଏବଂ ଖୁବଶୀଘ୍ର ଏହାର ରିପୋର୍ଟ ପ୍ରଦାନ କରିବ। ସେ ସ୍ପଷ୍ଟ କରିଛନ୍ତି ଯେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଏବଂ ଇଣ୍ଟିଗ୍ରେଟେଡ୍ ଡିଜିଜ୍ ସର୍ଭିଲାନ୍ସ ପ୍ରୋଗ୍ରାମ୍ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତରେ ସାଧାରଣ ଶ୍ୱାସକ୍ରିୟା ଭୂତାଣୁ ସଂକ୍ରମଣରେ ବିଶେଷ ବୃଦ୍ଧି ଘଟିନାହିଁ।
ଏହା ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଧ୍ୟ ଏଚଏମପିଭି ଭୂତାଣୁକୁ ନେଇ ଭୟଭୀତ ନ ହେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଏହି ଭୂତାଣୁ ନୂଆ ନୁହେଁ, ଏହା ପୂର୍ବରୁ ଦେଖାଦେଇଛି ଏବଂ ଏବେ ପୁଣି ଥରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଖୁବଶୀଘ୍ର ଏ ସଂକ୍ରାନ୍ତରେ ନିୟମାବଳୀ ଘୋଷଣା କରାଯିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ଏହି ସୂଚନା ପ୍ରଦାନ କରିବା ସହ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି।
ଅଧିକ ପଢ଼ନ୍ତୁ: ଆଜି ତାରିଖ ଘୋଷଣା କରିବେ ଭାରତୀୟ ନିର୍ବାଚନ ଆୟୋଗ