ବରଗଡ଼: ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ବରଗଡ଼ ଜିଲ୍ଲାରେ ଏବେ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହେଉଛି । ତେଣୁ ଭିଡ଼ ଓ ଟ୍ରାଫିକ୍ ସମସ୍ୟାକୁ ଦେଖି ବରଗଡ଼ରେ ବିଦ୍ୟାଳୟ ସମୟକୁ ବଦଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କଂସ ମହାରାଜ । ଯାହା ପରେ ଧନୁଯାତ୍ରା ଶେଷ ହେବା ଯାଏଁ ସକାଳୁଆ ବିଦ୍ୟାଳୟ ଖୋଲିବାକୁ ଜିଲ୍ଲା ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।
ମହାରାଜ କଂସଙ୍କ ବିକଟାଳ ଅଟହାସ୍ୟରେ ପ୍ରକମ୍ପିତ ହେଉଛି ମଥୁରା ନଗରୀ । ପାପର ବିନାଶ ପାଇଁ ପ୍ରଭୁ ଶ୍ରୀକୃଷ୍ଣ ଧରାବତ୍ତରଣ କରି ସାରିଛନ୍ତି । ମାତ୍ର କେଇଟା ଦିନ ପାଇଁ ମଥୁରାନଗୀର ଏବଂ ଗୋପପୁର ପାଲଟିଥିବା ବରଗଡ଼ ଜିଲ୍ଲାକୁ ଏବେ କାହିଁ କେତେ ଆଡ଼ୁ ଦର୍ଶକ ଧାଇଁ ଆସୁଛନ୍ତି । ଦିନରେ କଂସ ମହାରାଜ ନଗର ପରିକ୍ରମା କରି ପ୍ରଜାକୁ ସୁଖ ଦୁଃଖ ବୁଝୁଛନ୍ତି । ଏହି ସମୟରେ ବିଦ୍ୟାଳୟ ଯାଉଥିବା ଛାତ୍ରଛାତ୍ରୀମାନେ ଟ୍ରାଫିକ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରବଳ ମାତ୍ର ଭିଡ଼ ଯୋଗୁଁ ଛାତ୍ରଛାତ୍ରୀ ହଇରାଣ ହେବାକୁ ପଡ଼ୁଛି । ଏହି ଅଭିଯୋଗ ମହାରାଜ କଂସଙ୍କର କର୍ଣ୍ଣପାତ ହୋଇଥିଲା ।
କଂସଙ୍କ ନିର୍ଦ୍ଦେଶ କ୍ରମେ ବରଗଡ଼ ଜିଲ୍ଲାରେ ଆଜିଠାରୁ ସକାଳ ୮ଟାରୁ ବିଦ୍ୟାଳୟ ଖୋଲିବ ଏବଂ ଦିନ ଗୋଟାଏରେ ବିଦ୍ୟାଳୟ ଛୁଟି ହେବ ବୋଲି ଜିଲ୍ଲା ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଏହି ନିୟମ ଜାନୁୟାରୀ ୬ ତାରିଖ ଠାରୁ ଜାନୁୟାରୀ ୧୩ ତାରିଖ ପର୍ୟ୍ୟନ୍ତ ଲାଗୁ ହେବ ।