ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଆସିବା ପରେ ୨ ଲକ୍ଷ ୪୦ ହଜାର କୋଟିର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଯାହାକି ୧ ଲକ୍ଷ ୮୧ ହଜାର ନିଯୁକ୍ତି ସୃଷ୍ଟି କରିଛି । ନୂଆ ସରକାରରେ ଛୋଟ ବଡ଼ ୧୩୪ଟି ଶିଳ୍ପାନୁଷ୍ଠାନକୁ ଅନୁମତି ମିଳିଛି । ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ଶିଳ୍ପକୁ ଅନୁମୋଦନ ମିଳିଛି । ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବାକୁ ସରକାରଙ୍କର ଲକ୍ଷ୍ୟ ରହିଥିବା ନେଇ ସୂଚନା ଦେଇଛନ୍ତି କହିଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ।
ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି, ପୂର୍ବରୁ ଷ୍ଟିଲ ଓ ମେଟାଲ ଶିଳ୍ପ ଗଢ଼ି ଉଠୁଥିବାବେଳେ ଏବେ ନିଯୁକ୍ତିଭିତ୍ତିକ ଶିଳ୍ପ ଉପରେ ସରକାର ଗୁରୁତ୍ଵ ଦେଉଛନ୍ତି । ଯେଉଁ ଶିଳ୍ପ ପ୍ରତିଷ୍ଠା ଦ୍ଵାରା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ତାହା ଉପରେ ଗୁରୁତ୍ଵ ଦିଆଯାଉଛି । ଟେକ୍ସଟାଇଲ, ଗ୍ରୀନ ଏନର୍ଜି, ଗ୍ରୀନ ଆମୋନିଆ ଭଳି ଶିଳ୍ପ ଉପରେ ସରକାର ଗୁରୁତ୍ଵ ଦେଉଛନ୍ତି । ଯେଉଁ ଜିଲ୍ଲାରେ ଶିଳ୍ପ ନାହଁ ଆଗାମୀ ଦିନରେ ସେହି ଜିଲ୍ଲା ଗୁଡ଼ିକରେ ଶିଳ୍ପ ପ୍ରତିଷ୍ଠା ପାଇଁ ଫୋକସ କରାଯାଉଛି ।
ସିଙ୍ଗାପୁର ଗସ୍ତ ଫଳପ୍ରଦ ହୋଇଥିଲା । ଆସନ୍ତା ୧୬ କିମ୍ବା ୧୭ ବେଳକୁ ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଆସିବେ । ଓଡ଼ିଶା ପାଇଁ ଏକ ବଡ଼ ସଫଳତା । ଏହି ସମୟରେ ଓଡ଼ିଶା ସରକାର ଏବଂ ସିଙ୍ଗାପୁର ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ମଧ୍ୟ ହୋଇପାରେ ବୋଲି ମନ୍ତ୍ରୀ କହିଛନ୍ତି ।
ଗତକାଲି ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି ବୈଠକରେ ଓଡ଼ିଶାରେ ଶିଳ୍ପ କ୍ଷେତ୍ରରେ ବିନିଯୋଗ ୪୪ ହଜାର ୭୯୩ କୋଟି ଟଙ୍କାର ପୁଞ୍ଜିନିବେଶକୁ ମଞ୍ଜୁରୀ ମିଳିଥିଲା । ଏହି ପୁଞ୍ଜିନିବେଶ ଦ୍ୱାରା ୨୩,୦୦୫ ନିଯୁକ୍ତି ସୃଷ୍ଟି ହେବ । ରିଫାଇନାରୀ, ପେଟ୍ରୋକେମିକାଲ୍ସ, ଗ୍ରୀନ୍ ଏନର୍ଜୀରେ ନିବେଶ ହେବ ।