ଭୁବନେଶ୍ୱର :ଆଜିଠାରୁ ଓଡ଼ିଶାରେ ଅନୁଷ୍ଠିତ ହେଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ। ସେଥିପାଇଁ ରାଜଧାନୀ ଭୁବନେଶ୍ୱର ରେ ଉତ୍ସବର ମାହୋଲ । ଚାରିଆଡେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଚାଲିଛି ବିଭିନ୍ନ ଉତ୍ସବ । ଏୟାରପୋର୍ଟ ଠାରୁ ଆରମ୍ଭ କରି ଭୁବନେଶ୍ୱରର ରାଜରାସ୍ତା ସବୁଠି ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ପାଇଁ ପୁରା ପ୍ରସାଶନ ପ୍ରସ୍ତୁତ ରହିଛନ୍ତି । କେବଳ ରାଜଧାନୀ ନୁହେଁ ପୁରୀ ,କୋଣାର୍କ ,ଚନ୍ଦ୍ରଭାଗା ଆଦି ଅନେକ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ପ୍ରବାସୀଙ୍କ ସ୍ୱାଗତ ପାଇଁ ହୋଇଛି ସଜବାଜ ।
ଏହି ଅବସରରେ ପୁରୀ ଲାଇଟ୍ ହାଉସ ସ୍ଥିତ ସ୍ବର୍ଣ୍ଣାଭ ବେଳାଭୂମୀରେ ଏକ ସୁନ୍ଦର ଓ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ୬ ଫୁଟ ଉଚ୍ଚତା ୨୦ ଫୁଟ୍ ଓସାର ବିଶିଷ୍ଟ ଏହି ବାଲୁକା କଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଚିତ୍ର ରହିଥିବା ବେଳେ ଓଡିଶାର କଳା କାରୁକାର୍ଯ୍ୟ,ସଂସ୍କୃତି ,ଭାସ୍କର୍ଯ୍ୟର ଚିତ୍ର ମଧ୍ୟ ରହିଛି । ଏହି ବାଲୁକାକଳା ନିର୍ମାଣ କରିବାକୁ ମାନସଙ୍କୁ ସାତ ଘଣ୍ଟା ସମୟ ଲାଗିଛି । ଏହି ବାଲୁକା କଳା ମାଧ୍ୟମରେ ସେ ପ୍ରବାସୀ ଭାରତୀୟ ମାନଙ୍କୁ ସ୍ୱାଗତ ଜଣାଇଥିବା କହିଛନ୍ତି । ଏହି ବାଲୁକା କଳା ପାଇଁ ଦଶ ଟନ୍ ବାଲି ବ୍ୟବହାର ହୋଇଛି ।
ସେହିପରି ଜନତା ମୈଦାନ ଓଡିଶା ପାଭିଲିଆନ ରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା କଳାରେ ଚିତ୍ରକଳା କରି ପ୍ରବାସୀ ମାନଙ୍କୁ ସ୍ୱାଗତ କରିଛନ୍ତି । ଯେଉଁଥିରେ ମହାପ୍ରଭୁ ଜଗନ୍ନାଥଙ୍କ ଚିତ୍ରକଳା ହୋଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଜଗନ୍ନାଥଙ୍କୁ ନମସ୍କାର କରୁଥିବା ଦେଖିବାକୁ ମିଳିଛି ।
ସୂଚନା ଥାଉ କି ପ୍ରବାସୀ ଭାରତୀୟ ମହାକୁମ୍ଭ ପାଇଁ ଭୁବନେଶ୍ବରରେ ବିଭିନ୍ନ ଦେଶରୁ ପ୍ରବାସୀ ଭାରତୀୟ ଆସି ପହଞ୍ଚିଲେଣି । ଆଜି ବି ଅନେକ ଆସୁଛନ୍ତି।ଅନେକ ସମ୍ମେଳନ ସ୍ଥଳ ଜନତା ମୈଦାନରେ ବି ପହଞ୍ଚିଲେଣି । ଓଡ଼ିଶାର ଆତିଥ୍ୟରେ ଅଭିଭୂତ ହେବା ସହ ଖୁସି ହେଉଛନ୍ତି ପ୍ରବାସୀ ।