ଭୁବନେଶ୍ୱର: ଶାମ୍ବ ଦଶମୀ ହିନ୍ଦୁ ଧର୍ମ ମାନ୍ୟତା ଅନୁଯାୟୀ ଏକ ପବିତ୍ର ପର୍ବ ଅଟେ। ପୌଷମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶାମ୍ବ ଦଶମୀ ପାଳିତ ହୋଇଥାଏ। ଏହି ପର୍ବରେ ସୂର୍ଯ୍ୟଦେବଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଆଜିର ଦିନରେ ଶ୍ରଦ୍ଧାଳୁ ମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଥାନ୍ତି। ଚନ୍ଦ୍ରଭାଗା ମହୋଦଧିରେ ମୁକ୍ତି ତଥା ନିରୋଗ ଦୀର୍ଘ ଜୀବନ କାମନା କରି ଶ୍ରଦ୍ଧାଳୁ ମାନେ ଏହି ଦିନ ସୁର୍ୟୋଦୟ ସମୟରେ ବୁଡ଼ ପକାଇଥାନ୍ତି।
ଶାମ୍ବ ଦଶମୀ ପୂଜାର ମାହାତ୍ମ୍ୟ ହିନ୍ଦୁ ପୁରାଣରେ ବର୍ଣ୍ଣିତ ରହିଛି। କୃଷ୍ଣଙ୍କ ପୁତ୍ର ଶାମ୍ବ ଯେବେ ଦୁରାରୋଗ୍ୟ କୁଷ୍ଠ ରୋଗରେ ପୀଡିତ ହୋଇଥିଲେ, କୃଷ୍ଣଙ୍କ ନିର୍ଦେଶ କ୍ରମେ ସେ ଚନ୍ଦ୍ରଭାଗା ମହୋଦଧି କୂଳରେ ସୂର୍ଯ୍ୟଦେବଙ୍କ ଆରାଧନା କରିଥିଲେ। ଦୀର୍ଘ ବାର ବର୍ଷର କଠିନ ସାଧନା ଓ ତପସ୍ୟା ଫଳରେ ସୂର୍ଯ୍ୟଦେବ ପ୍ରସନ୍ନ ହୋଇ ଶାମ୍ବଙ୍କୁ ବ୍ୟାଧିମୁକ୍ତ କରିଥିଲେ। ସେଥିପାଇଁ ଘରେ ଘରେ ନାରୀ ମାନେ ନିଜର ସନ୍ତାନ ସନ୍ତତିଙ୍କ ସୁସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରି ଏହି ପର୍ବ ପାଳନ କରିଥାନ୍ତି । ଏପରିକି ସନ୍ତାନଙ୍କ ପାଇଁ ବିଭିନ୍ନ ଫଳ ଓ ମିଷ୍ଟାନ୍ନ ଯାଚନା କରାଯାଇଥାଏ।
ଏହି ଦିନ ସୂର୍ଯ୍ୟଙ୍କ ମୁଖ୍ୟ ତିନୋଟି ସ୍ଥିତି ଅନୁଯାୟୀ ନୈବେଦ୍ୟ ଅର୍ପଣ କରାଯାଇଥାଏ। ସୁର୍ୟୋଦୟ ସମୟେ ଅରୁଣ ଭୋଗ ବା ପ୍ରଥମ ଧୂପ ଲାଗି ହୋଇଥାଏ। ଗୃହର ନାରୀମାନେ ଶୁଦ୍ଧପୂତ ହୋଇ ବ୍ରାହ୍ମମୁହୂର୍ତ୍ତରେ ସୁର୍ୟୋଦୟ ସମୟରେ ଧୂପ ଦୀପ ତଥା ଫଳ ଭୋଗ କରିଥାନ୍ତି। ସେହିପରି ମଧ୍ୟାହ୍ନ ସମୟରେ ଦୀପ୍ତିମାନ ଆଦିତ୍ୟଙ୍କୁ ଦ୍ଵିତୀୟ ଭୋଗ ଅର୍ପଣ କରାଯାଇଥାଏ। ଗଇଁଠା, କାକରା ପ୍ରଭୁତି ବିଭିନ୍ନ ପିଠା ଖେଚୁଡ଼ି, ଘଣ୍ଟା ପ୍ରଭୁତି ଅର୍ପଣ କରାଯାଇଥାଏ। ଶେଷରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ମଲପୁଆ, ଗଜା, ବୁଢା ଚକୁଳି ଭଳି ଭୋଗ ଅର୍ପଣ କରାଯାଇଥାଏ । ଏହି ଦିନକୁ ନିଷ୍ଠାର ସହ ପାଳନ କଲେ ସୂର୍ଯ୍ୟଦେବ ପ୍ରସନ୍ନ ହୋଇ ଦୀର୍ଘ ନିରୋଗ ଆୟୁଷ ପ୍ରଦାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି।