ବଲାଙ୍ଗୀର: ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ୩ ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରିବା ମହଙ୍ଗା ସାବ୍ୟସ୍ତ ହୋଇଛି । ସାମ୍ବାଦିକଙ୍କ ଆକ୍ରମଣ କରିବା ଅଭିଯୋଗରେ ବଲାଙ୍ଗାୀର ଜିଲ୍ଲା ଟିଟିଲାଗଡ଼ ଥାନା ବିଦ୍ୟୁତ ବିଭାଗ ୨ ଜଣ ଅଧିକାରୀ ଗିରଫ ହୋଇ ଜେଲ୍ ଯାଇଛନ୍ତି । ସେମାନେ ହେଲେ କଣ୍ଟାବାଞ୍ଜୀ ଇଲେକ୍ଟ୍ରିକାଲ ଏସ୍ଡିଓ ଜଗନ୍ନାଥ ପତି ଓ ମୁରିବାହାଲ ବିଦ୍ୟୁତ ଯନ୍ତ୍ରୀ ଚିନ୍ମୟ ସାହୁ । ଏହା ସହିତ ୨ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।
ଗତକାଲି ଟିଟିଲାଗଡ ଥାନା ଟିମନଭାଡି ଗାଁରେ ତଳେ ଝୁଲୁଥିବା ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨୨ ବର୍ଷୀୟ ଉଦ୍ଧବ ପୋଢଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିଲେ । ଏନେଇ ଗ୍ରାମବାସୀ ବିଦ୍ୟୁତ ବିଭାଗକୁ ଫୋନ କରିଥିଲେ ମଧ୍ୟ କେହି ଉତ୍ତର ଦେଇ ନ ଥିଲେ । ସେପଟେ ବିଦ୍ୟୁତ ବିଭାଗ ଅଧିକାରୀମାନେ ଭୋଜି କରୁଥିବା ଜଣାପଡ଼ିଥିଲା । ତେବେ ଏହି ସମୟରେ ବିଭିନ୍ନ ଗଣମାଧ୍ୟମର ୩ ଜଣ ପ୍ରତିନିଧି ଘଟଣା ସ୍ଥଳରେ ପହଁଚିବା ପରେ ନିଶାସକ୍ତ ଅବସ୍ଥାରେ ଥିବା ଦୁଇ ଅଧିକାରୀ ଏସ୍ଡିଓ ଜଗନ୍ନାଥ ପତି ଓ ବିଦ୍ୟୁତ ଯନ୍ତ୍ରୀ ଚିନ୍ମୟ ସାହୁ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ।
ଏ ନେଇ ସାମ୍ବାଦିକମାନେ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିବା ସହିତ ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ପୋଲିସ ଜଗନ୍ନାଥ ପତି ଓ ଚିନ୍ମୟ ସାହୁଙ୍କୁ ଗିରଫ କରିଛି । ଏହା ସହିତ ବିଦ୍ୟୁତ ବିଭାଗ ଦୁଇ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡ଼ିଛି ।