ଭୁବେନଶ୍ୱର: ଆପଣ(ପ୍ରବାସୀ ଭାରତୀୟ)ମାନଙ୍କ ଯୋଗୁଁ ବିଶ୍ୱରେ ମୁଣ୍ଡ ଉଚ୍ଚରେ ରଖିପାରୁଛି। ସେଥିପାଇଁ ଆପଣମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଭାରତୀୟମାନେ ଯେଉଁଠାକୁ ଯାଉଛନ୍ତି ସେଠାକାର ସମାଜ ସହିତ ଯୋଡ଼ି ହୋଇଯାଉଛନ୍ତି। ଆମେ ଯେଉଁଠାକୁ ଯାଉଛୁ ସେହି ଦେଶରେ ନୀତି ନିୟମ ପାଳନ କରୁଛେ। ଆମ ହୃଦୟରେ ଭାରତ ସ୍ପନ୍ଦିତ ହେଉଛି। ଭୁବନେଶ୍ଵରର ଜନତା ମଇଦାନରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।
ପ୍ରଥମ ଥର ପାଇଁ ପୂର୍ବ ଭାରତ ରାଜ୍ୟ ଭାବରେ ଓଡ଼ିଶାରେ ଆୟୋଜିତ କାର୍ଯ୍ୟକ୍ରମ ଆରମ୍ଭରୁ କଳାକାରମାନେ ସ୍ୱାଗତ ସଂଗୀତର ପ୍ରସ୍ତୁତି ଦେଇଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ସମୟରେ ଧନ୍ୟବାଦ ଜଣାଇବା ସହିତ ବହୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ସମ୍ମେଳନର ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିବା ସହ ଉଦ୍ବୋଧନ ଦେଇ କହିଥିଲେ, ସମସ୍ତ ପ୍ରବାସୀ ଭାରତୀୟଙ୍କୁ ମହାପ୍ରଭୁ ଜଗନ୍ନାଥ ଓ ମହାପ୍ରଭୁ ଲିଙ୍ଗରାଜଙ୍କ ଭୂମିକୁ ସ୍ୱାଗତ। ସେ କହିଥିଲେ ଯେ ଦେଶରେ ଏବେ ସବୁଠି ଉତ୍ସବର ସମାରୋହ ଆୟୋଜନ ହେଉଛି। ପ୍ରୟାଗରାଜରେ ପବିତ୍ର ମହାକୁମ୍ଭ ମେଳା ମଧ୍ୟ ଆୟୋଜନ ହେଉଛି। ଓଡ଼ିଶା କଳା ଓ ସଂସ୍କୃତିରେ ପରିପୂର୍ଣ୍ଣ। ଓଡ଼ିଶାର ପାଦେ ପାଦେ ପ୍ରମୁଖ ଐତିହ୍ୟକୁ ଦେଖିବାକୁ ମିଳେ। ଖଣ୍ଡଗିରି, ଉଦୟଗିରି, କୋଣାର୍କକୁ ଦେଖିଲେ ଗର୍ବ ଅନୁଭବ ହୁଏ। କାହିଁ କେତେ ବର୍ଷ ପୂର୍ବରୁ ଓଡ଼ିଶାର ବେପାରୀମାନେ ବାଲି, ସୁମତ୍ରା, ଜାଭା ଯାତ୍ରା କରୁଥିଲେ। ତାହାର ସ୍ମୃତିରେ ବାଲିଯାତ୍ରା ଆୟୋଜନ କରାଯାଉଛି।
ସେହିପରି ବିଶ୍ୱରେ କିପରି ଶାନ୍ତି ପ୍ରତିଷ୍ଠା ହୋଇପାରିବ, ସେଥିପାଇଁ ମୋଦୀ ଧଉଳି ଶାନ୍ତି ସ୍ତୂପର ଉଦାହରଣ ଦେଇ କହିଥିଲେ, ‘ଧଉଳି ଶାନ୍ତିର ପ୍ରତୀକ ଅଟେ’। ଦୁନିଆରେ ଯେତେବେଳେ ଅସ୍ତ୍ର ବଳରେ ସାମ୍ରାଜ୍ୟ ବଢ଼ାଇବାକୁ ଜୋର ଧରିଥିଲା, ସେତେବେଳେ ସମ୍ରାଟ ଅଶୋକ ଶାନ୍ତିର ରାସ୍ତା ବାଛିଥିଲେ। ସେଥିପାଇଁ ଆଜି ଭାରତ କହୁଛି ‘ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ଅଛି’।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆପଣମାନଙ୍କ ଯୋଗୁଁ ବିଶ୍ୱରେ ମୋତେ ମୁଣ୍ଡ ଉଚ୍ଚା ରଖିପାରୁଛି, ସେଥିପାଇଁ ଆପଣମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଭାରତୀୟ ଯେଉଁଠାକୁ ଯାଉଛନ୍ତି ସେଠାକାର ସମାଜ ସହିତ ଯୋଡ଼ି ହୋଇଯାଉଛନ୍ତି। ଆମେ ଯେଉଁଠାକୁ ଯାଉଛୁ ସେହି ଦେଶରେ ନୀତି ନିୟମ ପାଳନ କରୁଛି। ଆମ ହୃଦୟରେ ଭାରତ ସ୍ପନ୍ଦିତ ହେଉଛି।
ଏକବିଂଶ ଶତାବ୍ଦୀରେ ଭାରତ ଯେଉଁଭଳି ଆଗକୁ ବଢ଼ୁଛି ତାହା ଅଦ୍ଭୂତପୂର୍ବ ଅଟେ। ବିଗତ ୧୦ ମଧ୍ୟରେ ଭାରତ ଗରିବୀରୁ ବାହାରକୁ ଆସିଛି। ମାତ୍ର ଦଶନ୍ଧି ମଧ୍ୟରେ ଭାରତ ଅର୍ଥନୀତିରେ ୧୦ମରୁ ୫ମ ସ୍ଥାନକୁ ଆସିଛି। ଆଉ ବେଶୀ ସମୟ ଦୂର ନୁହେଁ ଯେତେବେଳେ ଭାରତ ଅର୍ଥନୀତି ବିକାଶରେ ୩ୟ ସ୍ଥାନକୁ ଆସିବ। ଆଜି ଭାରତ ନିଜର ଫାଇଟର୍ ଜେଟ୍ ନିର୍ମାଣ କରୁଛି। ଆଗାମୀ ଦିନରେ ଆପଣମାନେ ମେଡ୍ ଇନ୍ ଇଣ୍ଡିଆ ଉଡ଼ାଜାହାଜରେ ବସି ପ୍ରବାସୀ ଭାରତୀୟ ଦିବସ ପାଳନ କରିବାକୁ ଆସିବେ। ଆଗାମୀ ବହୁ ବର୍ଷ ପର୍ଯ୍ୟନ୍ତ ଭାରତ ସବୁଠାରୁ ଯୁବ ଓ ଦକ୍ଷତାପୂର୍ଣ୍ଣ ଦେଶଭାବରେ ଠିଆ ହୋଇ ରହିବ। ଯେଉଁ ଭାରତୀୟ ଦେଶ ବାହାରକୁ ଯିବେ ସେମାନ ନିଜର ଜ୍ଞାନ ଓ ଦକ୍ଷତାକୁ ନେଇକି ଯିବେ ଏହା ଭାରତ ସରକାରଙ୍କର ଉଦ୍ୟମ ଜାରି ରହିବ।
ଭାରତର ‘ଲୋକାଲକୁ ଗ୍ଲୋବାଲ’ ବନେଇବାରେ ପ୍ରବାସୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦକୁ ନିଜ ଘରେ ସାମିଲ କରନ୍ତୁ, ଏହା ବିକଶିତ ଭାରତରେ ବେଶ ସହାୟକ ହେବ। ପରିଶେଷରେ ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ‘ଏକ୍ ପେଡ୍ ମା’ କେ ନାମ୍’ କୁ ମଧ୍ୟ ଆଗକୁ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଯେଉଁ ଦେଶରେ ରହୁଛନ୍ତି ସେହି ଦେଶରେ ନିଜ ମାଙ୍କ ନାମରେ ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ।
ଆଜିର ମୁଖ୍ୟ ଅତିଥିଭାବେ ସଭାରେ ଶୋଭାମଣ୍ଡନ କରିଛନ୍ତି ତ୍ରୀନିନାଦ ଓ ଟବାଗୋର ରାଷ୍ଟ୍ରପତି ଖ୍ରୀଷ୍ଟିନ କାର୍ଲା କାଙ୍ଗାଲୁ । ଆଜିର ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, କୀର୍ତ୍ତିବର୍ଦ୍ଧନ ସିଂହ, ୨ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂହଦେଓ ଏବଂ ସାଂସଦ, ବିଧାୟକ ଓ ରାଜ୍ୟ ମନ୍ତ୍ରୀ ମଣ୍ଡଳର ମନ୍ତ୍ରୀ ପରିଷଦଗଣ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଭବ୍ୟ ସମ୍ମେଳନର ବିଶ୍ୱର ୬୦ ଦେଶରୁ ପ୍ରାୟ ୭୦୦୦ ପ୍ରବାସୀ ଭାରତୀୟମାନେ ଯୋଗ ଦେଇଛନ୍ତି।