ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦାନ କରିଛନ୍ତି । ଏହି ଅବସରରେ ଏକ ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ସଭା ମଞ୍ଚରୁ ଆଭାସୀ ଜରିଆରେ ସବୁଜ ପତାକା ଦେଖାଇ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ସଭାରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟର ପ୍ରଶଂସା କରିଛନ୍ତି । ଏହା ସହିତ ବିଶ୍ୱକୁ ଶାନ୍ତିର ବାର୍ତ୍ତା ମଧ୍ୟ ଦେଇଛନ୍ତି । ଭବିଷ୍ୟତ ଯୁଦ୍ଧରେ ନୁହେଁ ବରଂ ବୁଦ୍ଧରେ ଅଛି । ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ପ୍ରୟାଗରାଜର କୁମ୍ଭ ମେଳା ଦେଖିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ପ୍ରବାସୀଙ୍କୁ ଭାରତରେ ନିର୍ମିତ ଉତ୍ପାଦକୁ ନିଜ ଦୈନନ୍ଦିନ ଜୀବନରେ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଏହା ବିକଶିତ ଭାରତରେ ସହାୟକ ହେବ ବୋଲି କହିଛନ୍ତି । ସେହିପରି ଯେଉଁଠାରେ ରହୁଛନ୍ତି ସେଠାରେ ନିଜ ମାଙ୍କ ନାମରେ ଗୋଟାଏ ଲେଖାଏଁ ଗଛ ଲଗାଇବାକୁ ମଧ୍ୟ ଆହ୍ୱାନ କରିଛନ୍ତି ।