ଶିମିଳିପାଳ: ଶିମିଳିପାଳ ପାଦଦେଶରେ ଏବେ ସୁନା ଫଳୁଛି। ଷ୍ଟ୍ରୋବେରୀ ଚାଷ କରି ଲକ୍ଷପତି ହେଇଛନ୍ତି ଚାଷୀ। ଜିଲ୍ଲା ପ୍ରଶାସନର ସହାୟତାରେ ଜିଲ୍ଲାରେ ପ୍ରଥମ କରି ଷ୍ଟ୍ରୋବେରୀ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏକାଧିକ ଚାଷୀ। ଏହା ମୟୂରଭଞ୍ଜ ଚାଷୀଙ୍କ ପାଇଁ ଏକ ଶୁବ ଖବର ହୋଇଥିବା ବେଳେ ଆଗାମୀ ଦିନରେ ଏହାର ବହୁଳ ଚାଷ ପାଇଁ ଉଦ୍ୟମ ଜାରି ରଖିଛି ପ୍ରଶାସନ।
ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା। ଜିଲ୍ଲାର ୬୦ ପ୍ରତିଶତ ରୁ ଅଧିକ ଲୋକ କେବଳ ଚାଷ ଉପରେ ନିର୍ଭର କରି ଚଳୁଥିବା ବେଳେ ଅଧିକାଂଶ ଚାଷୀ ଏଠି ଧାନ ଚାଷ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି। ତେଣୁ ଜିଲ୍ଲାରେ କିଛି ନୂଆ ଏବଂ ଲାଭଦାୟକ ଚାଷ କରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ ଜିଲ୍ଲାପାଳ 'ହେମକାନ୍ତ ସୟ' । ପୂର୍ବ ଜିଲ୍ଲା ମାନଙ୍କରେ ଷ୍ଟ୍ରୋବେରୀ ଚାଷକୁ ସଫଳ ରୂପାୟନ କରିଥିବା କାରଣରୁ ସେ ମୟୂରଭଞ୍ଜରେ ମଧ୍ୟ ଷ୍ଟ୍ରୋବେରୀ ଚାଷକୁ ଗୁରୁତ୍ୱ ଦେଇ ଏଥିପାଇଁ ପ୍ରୟାସ ଆରମ୍ଭ କରିଥିଲେ।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକ ଓ ବାରିପଦା ଆଇଟିଡିଏ ଅଧିକାରୀ ନିଜ କାର୍ଯ୍ୟାଳୟର କିଛି ଅଭିଜ୍ଞ କର୍ମଚାରୀଙ୍କ ସହ ପରାମର୍ଶ କରି ଷ୍ଟ୍ରୋବେରୀ ଚାଷ କରିବା ପାଇଁ ଯୋଜନା କରିଥିଲେ ଏବଂ ଏହା ଏବେ ସଫଳ ପ୍ରତିଫଳନ ହୋଇଛି। ମୟୂରଭଞ୍ଜ ଜିଲ୍ଲାର ଶାମାଖୁଣ୍ଟା ବ୍ଲକ୍ ଅଧୀନ ଶିମିଳିପାଳ ପାଦ ଦେଶରେ ଥିବା ଲୁଲୁଙ୍ଗ୍ ନିକଟ ତାରାଯୋଡ଼ି ଅଞ୍ଚଳରେ ଆଦିବାସୀ ସମୁଦାୟଙ୍କ ପାଇଁ ଏବେ ନୂଆ ସୁଯୋଗ ସୃଷ୍ଟି କରିଛି ଏହି ଷ୍ଟ୍ରବେରୀ ଚାଷ। ଜିଲ୍ଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପରୀକ୍ଷାମୂଳ ଭାବେ ଏଠାରେ ପ୍ରଥମ କରି ଏହି ଷ୍ଟ୍ରୋବେରୀ ଚାଷର ଶୁଭାରମ୍ଭ କରାଯାଇଥିଲା।
ଏଥିପାଇଁ ମହାରାଷ୍ଟ୍ରର ମହାବଳେଶ୍ବର ଅଞ୍ଚଳରୁ ଦେଢ଼ଲକ୍ଷ ଷ୍ଟ୍ରୋବେରୀ ଚାରା ଆଣି ଏହି ଅଞ୍ଚଳର ୧୦ ଏକର ଜମିରେ ଏହାକୁ ରୋପଣ କରାଯାଇଥିଲା। ଏବଂ ଏହି ଯୋଜନାରେ ତାରାଯୋଡ଼ି ଅଞ୍ଚଳର ୨୧ଜଣ ଚାଷୀଙ୍କୁ ସାମିଲ କରାଯାଇଥିଲା। ଜମି ଚିହ୍ନଟ ପରେ ମହାରାଷ୍ଟ୍ରରୁ ଚାରା ଆଣିବା ସହ ଏହି ଚାଷ ପାଇଁ ଆବଶ୍ୟକୀୟ ଜ୍ଞାନକୌଶଳ ଯୋଗାଇ ଦେଇଥିଲା ଜିଲ୍ଲା ଉଦ୍ୟାନ କୃଷି ବିଭାଗ। ଗଛ ଲଗାଇବାର ୪୦ ରୁ ୪୫ ଦିନ ପରେ ଏବେ ଫଳ ଫଳିବା ଆରମ୍ଭ କରିଛି ଏବଂ ବିକ୍ରି ହୋଇ ଉପାର୍ଜନ ଆରମ୍ଭ ହୋଇସାରିଛି। ପ୍ରତି ଗଛ' ତାର ଜୀବନକାଳ ମଧ୍ୟରେ ୮୦୦ ଗ୍ରାମରୁ ୧.୫କେଜି ଷ୍ଟ୍ରବେରୀ ଉତ୍ପାଦନର କ୍ଷମତା ରଖିଥାଏ। ତେଣୁ ଏହାର ବିକ୍ରି ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଶିମିଳିପାଳ ମଧ୍ୟରେ ୫ଟି ଷ୍ଟଲ ଖୋଲାଯିବାର ବନ୍ଦବସ୍ତ କରାଯାଇଛି।