ଭୁବନେଶ୍ୱର: ପ୍ରଥମଥର ପାଇଁ ପୂର୍ବ ଭାରତ ରାଜ୍ୟ ଭାବରେ ଓଡ଼ିଶାରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଆଜି ହେଉଛି ଦ୍ୱିତୀୟ ଦିନ। ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ହୋଇଛନ୍ତି। ତାଙ୍କୁ ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଆଜିର ମୁଖ୍ୟ ଅତିଥିଭାବେ ସଭାରେ ଶୋଭାମଣ୍ଡନ କରିଛନ୍ତି ତ୍ରୀନିନାଦ ଓ ଟବାଗୋର ରାଷ୍ଟ୍ରପତି ଖ୍ରୀଷ୍ଟିନ କାର୍ଲା କାଙ୍ଗାଲୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ତାଙ୍କର ଉଦବୋଧନରେ ଓଡ଼ିଶାର ଭୂରି ଭୂରି ପ୍ରଶଂସା କରିଛନ୍ତି ।
ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି, ପ୍ରତି ଦୁଇ ବର୍ଷରେ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଆୟୋଜିତ ହେଉଛନ୍ତି। ଏହା ପାରିବାରିକ ପୁନର୍ମିଳନ ଭଳି ସମାରୋହ। ଓଡ଼ିଶାର କଳା ଓ ସଂସ୍କୃତି ଅନନ୍ୟ। ଓଡ଼ିଶାରେ ପିବିଡିର ଆୟୋଜନ ମୋଦୀ ସରକାରଙ୍କ ପୂର୍ବୋଦୟ ବିକାଶର ପ୍ରତିଫଳନ। ଓଡ଼ିଶା ସଂସ୍କୃତି ଓ ଐତିହ୍ୟରେ ପରିପୂର୍ଣ୍ଣ। ଓଡ଼ିଶାର ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ୟ୍ୟମନ୍ଦିର, ଲିଙ୍ଗରାଜ ମନ୍ଦିର ଓ ଓଡ଼ିଶାର ଖାଦ୍ୟକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ସେହିପରି କଟକ ଐତିହାସିକ ବାଲିଯାତ୍ରାକୁ ମଧ୍ୟ ପ୍ରଶଂସା କରିଛନ୍ତି ବୈଦେଶିକ ମନ୍ତ୍ରୀ।
ଆଜିର ସଭାରେ ୨ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ସାଂସଦ, ଓଡ଼ିଶାର ସାଂସଦ, ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, କୀର୍ତ୍ତିବର୍ଦ୍ଧନ ଯୋଗ ଦେଇଥିଲେ। ଏହି ଭବ୍ୟ ସମ୍ମେଳନର ବିଶ୍ୱର ୬୦ ଦେଶରୁ ପ୍ରାୟ ୭୦୦୦ ପ୍ରବାସୀ ଭାରତୀୟମାନେ ଯୋଗ ଦେଇଛନ୍ତି।