ଭୁବନେଶ୍ୱର: ପାଞ୍ଚ ପାଞ୍ଚଟି ମାମଲାରେ ଛନ୍ଦି ହୋଇଥିବା ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହୀ ଆଜି ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ବିଜେଡ଼ି ଉପରେ ଖୁବ୍ ବର୍ଷିଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କର ‘ଲେଖା ଛିଣ୍ଡିବା’ ଉପାଖ୍ୟାନ ବେଶ୍ ଚର୍ଚ୍ଚାରେ ରହିଥିବାବେଳେ ଏବେ ‘ବିଜେଡ଼ି ପାଞ୍ଜି’ ଖୋଲିବ କହି ଆଉ ଏକ ତୀର ମାରିଛନ୍ତି । ଯାହା ପରେ ରାଜ୍ୟରେ ରାଜନୈତିକା ଚର୍ଚ୍ଚା ଆଲୋଚନା ଜୋର ଧରିଛି ।
ପ୍ରଦୀପ ପାଣିଗ୍ରାହୀ ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ିକୁ କଡ଼ା ସମାଲୋଚନା କରିଛନ୍ତି । ମିଥ୍ୟା ଆରୋପରେ ତାଙ୍କୁ କିପରି ଦଳରୁ ବିତାଡ଼ିତ କରାଗଲା ତାହା ସେ କହିଛନ୍ତି । ପ୍ରଦୀପ କହିଛନ୍ତି ତାଙ୍କ ନିକଟରେ ବିଜେଡ଼ିର ପାଞ୍ଜି ରହିଛି । ପୁଷ ମାସ ଗଲେ ମାଘ ଆସିଲେ ସବୁ ଗୋଟି ଗୋଟି କରି ରହସ୍ୟ ଖୋଲିବେ । ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତିରେ ‘ବିଜେଡ଼ି ପାଞ୍ଜି’ ସେ ଖୋଲିବେ ବୋଲି ଖୋଲା ଖୋଲି କହିଛନ୍ତି । ୨୪ ବର୍ଷ ପରେ ଆପଣମାନଙ୍କର ମନେ ପଡ଼ିଗଲା କି ଓଡ଼ିଆ ଲୋକ କଷ୍ଟ ପାଉଛନ୍ତି ବୋଲି ବିଜେଡ଼ିକୁ କଟାକ୍ଷ କରିଛନ୍ତି ପ୍ରଦୀପ ।
ପ୍ରଦୀପ କହିଛନ୍ତି, ଓଡ଼ିଶାର ପ୍ରଥମ ଥର ହୋଇଥିଲା ଯେ ପୋଲିସ ଟୁଇଟ୍ କରି ମୋତେ ଗିରଫ କରାଯାଇଥିଲା । ସେଥିପାଇଁ ସମ୍ପୃକ୍ତ ଆଇପିଏସ ଅଫିସରଙ୍କୁ ପୋଲିସ କମିଶନରଭାବେ ପୁରସ୍କାର ଦିଆଯାଇଥିଲା । ପ୍ରତିଶୋଧ ନେବା ପ୍ରଶ୍ନର ଉତ୍ତରରେ ପ୍ରଦୀପ କହିଛନ୍ତି, “ମୁଁ କ୍ଷମାରେ ବିଶ୍ୱାସ ରଖେ” ।
ସେ କହିଛନ୍ତି, ମୋତେ କୋର୍ଟ ୫ଟି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ଏହା ଦ୍ୱାରା ମୋର ପୁଅ-ଝିଅ ଓ ଗୋପାଳପୁର ଜନତାଙ୍କୁ ମଧ୍ୟ ଆଶ୍ଵସ୍ତି ମିଳିଛି । ସେ କହିଛନ୍ତି ଯେ, ମୋତେ ଷଡ଼ଯନ୍ତ୍ର କରି ଗିରଫ କରାଯାଇଥିଲା । ବିଜେଡିରୁ ବାହାର କରିଦିଆଯାଇଥିଲା। କିନ୍ତୁ ଓଡ଼ିଶାବାସୀ ବିଜେଡିକୁ ବାହାର କରିଦେଇଛନ୍ତି। ସମୟ ବଦଳିଯାଇଛି । ମୋ ବିରୋଧରେ ସେମାନେ ଜନ ବିରୋଧୀ ଅଭିଯୋଗ ଆଣିଥିଲେ । କିନ୍ତୁ ରାଜ୍ୟବାସୀ ତାଙ୍କୁ ଜନ ବିରୋଧୀ ବୋଲି ପ୍ରମାଣିତ କରିଦେଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ବିଜେଡ଼ି ସରକାରବେଳେ ପ୍ରଦୀପଙ୍କ ବିରୋଧରେ ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲାରେ ସାଙ୍ଘାତିକ ଅଭିଯୋଗ ରହିଥିଲା । ତେବେ ଗତକାଲି ୨ଟି ମାମଲାର ଶୁଣାଣୀ ହୋଇଥିବା ବେଳେ ଆଜି ଆଉ ୩ଟି ମାମଲାର ଶୁଣାଣୀ ହୋଇଛି । ସମସ୍ତ ମାମଲାରେ ସେ ନିର୍ଦ୍ଦୋଷ ବୋଲି ପ୍ରାମଣିତ ହୋଇଛି । ସେପଟେ ରାୟ ଆସିବା ପରେ ପ୍ରତିକ୍ରିୟା ରଖି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ସତ୍ୟର ବିଜୟ ହୋଇଛି । ପୂର୍ବ ସରକାର ତାଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ମାମଲା ରୁଜୁ କରିଥିଲେ ।