ଭୁବନେଶ୍ୱର: କଳାହାଣ୍ଡିରୁ ଆସି ରାଜ୍ୟ ରାଜଧାନୀ ଏବଂ ଜାତୀୟ ରାଜଧାନୀରେ କୋଟି କୋଟି ଟଙ୍କାର ଠକେଇ କରିଥିବା ବିଷ୍ଣୁପ୍ରିୟା ଓରଫ୍ ହଂସିତା ଅଭିଲିପ୍ସାଙ୍କର ପ୍ରକୃତ ସ୍ୱାମୀଙ୍କୁ ଆୟକର ବିଭାଗ ଠାବ କରିଛି । ତାଙ୍କର ପ୍ରକୃତ ସ୍ୱାମୀ ସରୋଜ ସାହୁଙ୍କୁ ଆଇଟି ଟିମ୍ ଖଣ୍ଡଗିରି ଅଞ୍ଚଳରୁ ଗିରଫ କରିଥିବା ଜଣାପଡ଼ିଛି । ସେ ଗଞ୍ଜାମର ଜମେ ବ୍ୟବସାୟୀ ଅଟନ୍ତି ।
ହଂସିତାଙ୍କ ପ୍ରକୃତ ନାମ ବିଷ୍ଣୁପ୍ରିୟା ଚାନ୍ଦ ଓରଫ୍ ରାକ୍ଷୀ ହୋଇଥିବାବେଳେ ଘର କଳାହାଣ୍ଡି ଜିଲ୍ଲା ନର୍ଲାରେ । ୨୦୧୭ରେ ନର୍ଲା ବାଗପୁର ପଞ୍ଚାୟତରେ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ । ଏହା ସେ ଅନେକ ବିକ୍ଷୋଭ ଓ ଆନ୍ଦୋଳନ ମଧ୍ୟ କରିଛନ୍ତି । କିନ୍ତୁ ପରବର୍ତ୍ତୀ ମୂହୂର୍ତ୍ତରେ ତାଙ୍କୁ ପଇସାର ଲୋଭ ଗ୍ରାସ କରିଥିଲା । ତାଙ୍କର ପ୍ରକୃତ ସ୍ୱାମୀ ସରୋଜ ହୋଇଥିବା ବେଳେ ନିଜର କ୍ରାଇମ ପାର୍ଟନର ଅନୀଲଙ୍କ ସହିତ ମିଶି ସ୍ୱାମୀ ସ୍ତ୍ରୀର ନାଟକ ରଚିଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡାକ୍ତର ପି.କେ ମିଶ୍ର ପୁଅ ବୋହୁ କହି ଖଣି ବ୍ୟବସାୟୀ, ବିଲଡର୍, ଠିକାଦାରଙ୍କୁ ଲୁଟି ଥିଲେ । ଟେଣ୍ଡର୍ ପାସ କରାଇଦେବେ କହି କୋଟି କୋଟି ଟଙ୍କା ଠକେଇ କରିଥିଲେ ।
ତେବେ ଉଭୟଙ୍କୁ ଗିରଫ କରାଯିବା ପରେ ଗତକାଲି ଆୟକର ବିଭାଗ ହଂସିତାଙ୍କର ୧୨ଟି ସ୍ଥାନରେ ଚଢ଼ାଉ କରିଥିଲା । ଆଜି ଦ୍ୱିତୀୟ ଦିନରେ ମଧ୍ୟ ଚଢ଼ାଉ କରାଯାଇଥିଲା । ଭୁବନେଶ୍ୱର, ଦିଲ୍ଲୀ ଓ ଝାଡ଼ଖଣ୍ଡର ୧୨ଟି ସ୍ଥାନରେ ରେଡ୍ କରିଥିଲା ଆୟକର ବିଭାଗ ।