ୱାଶିଂଟନ୍: ଆମେରିକାର କାଲିଫର୍ଣ୍ଣିଆର ଜଙ୍ଗଲରେ ଲାଗିଥିବା ନିଆଁ ଏବେ ଭୟଙ୍କର ରୂପ ନେଇଛି। ଏହି ନିଆଁ ଲସ୍ ଆଞ୍ଜେଲସ୍ ଏବଂ ଏବେ ହଲିଉଡ୍ ହିଲ୍ସକୁ ବ୍ୟାପିଛି। ଫଳରେ ପ୍ରାୟ ୧ ଲକ୍ଷ ଲୋକ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ସେହିପରି ୫ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି। ଲସ୍ ଆଞ୍ଜେଲସ୍ ଅଞ୍ଚଳରେ ଅଗ୍ନିକାଣ୍ଡ ଯୋଗୁଁ ଅଧିକାରୀମାନେ ଲକ୍ଷ ଲକ୍ଷ ଲୋକଙ୍କୁ ଯଥାଶୀଘ୍ର ସେମାନଙ୍କ ଘର ଖାଲି କରିବାକୁ କହିଛନ୍ତି। ଚାରିଆଡ଼େ ଧୂଆଁ ଓ ଧୂଳିର ପ୍ରକୋପ ଦେଖିବାକୁ ମିଳୁଛି।
କାଲିଫର୍ଣ୍ଣିଆରେ ଲାଗିଥିବା ଅଗ୍ନିକାଣ୍ଡକୁ ଅଭିନେତା ଷ୍ଟିଭ୍ ଗୁଟେନବର୍ଗ ଅତ୍ୟନ୍ତ ଖରାପ ବୋଲି ବର୍ଣ୍ଣନା କରିଛନ୍ତି। ଏକ ଭିଡିଓରେ ସେ କହିଛନ୍ତି, ମୁଁ ମୋ ଜୀବନରେ ଏହାଠାରୁ ଖରାପ କିଛି ଦେଖିନଥିଲି। ପ୍ରଶାନ୍ତ ମହାସାଗରୀୟ ପାଲିସାଡେସ୍, ଇଟନ୍ ଓ ହର୍ଷ୍ଟରେ ବ୍ୟାପିଥିବା ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ହେଲିକପ୍ଟର ମୁତୟନ କରାଯାଇଛି। ହେଲିକପ୍ଟରରୁ ପାଣି ଛିଞ୍ଚନ କରାଯାଉଛି। ପାଲିସାଡେସ୍ରେ ୧୫ ହଜାର ଏକର, ଇଟନ୍ରେ ୧୦ ହଜାର ଏକର ଓ ହର୍ଷ୍ଟରେ ୫୦୦ ଏକରରୁ ଅଧିକ ଜମିରେ ନିଆଁ ଲାଗିଛି। ହଜାର ହଜାର ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରୁଛନ୍ତି। ଲସ୍ ଆଞ୍ଜେଲସ୍ ଅଗ୍ନିଶମ ଅଧିକାରୀ କର୍ଷ୍ଟେନ କ୍ରାଉଲି କହିଛନ୍ତି, ଆମେ ଆଦୌ ବିପଦମୁକ୍ତ ନୁହଁ।
ଲୋକମାନେ ଗାଡ଼ିକୁ ରାସ୍ତାରେ ଛାଡ଼ି ପଳାଇବା ଆରମ୍ଭ କରିଥିଲେ। ଜରୁରୀକାଳୀନ ସେବା ପାଇଁ ଏହି ଗାଡ଼ିଗୁଡ଼ିକୁ ବୁଲଡୋଜ୍ କରାଯାଇଥିଲା। ଗେଟି ଭିଲ୍ଲା ପଡ଼ିଆରେ ଥିବା କିଛି ଗଛ ପୋଡ଼ି ଯାଇଥିଲେ ହେଁ ଆଖପାଖ ବୁଦା କାଟି ଦିଆଯାଇଥିବାରୁ କର୍ମଚାରୀ ଓ ସଂଗ୍ରହାଳୟ ସୁରକ୍ଷିତ ରହିଥିଲା।
ଜାନୁଆରୀ ୭ ତାରିଖରେ ପ୍ରଥମ ଅଗ୍ନିକାଣ୍ଡ ଘଟିଥିଲା। ପ୍ରବଳ ପବନ ଯୋଗୁଁ ଏହା ବ୍ୟାପିଯାଇଥିଲା। ଅନେକ ବର୍ଗ କିଲୋମିଟର ଅଞ୍ଚଳ ଜଳି ପାଉଁଶ ହୋଇଯାଇଛି। ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି। ପରିସ୍ଥିତି ଏତେ ଭୟଙ୍କର ଥିଲା ଯେ ଲସ୍ ଆଞ୍ଜେଲସ୍ ଅଗ୍ନିଶମ ବିଭାଗକୁ ଡ୍ୟୁଟିରେ ନଥିବା କର୍ମଚାରୀଙ୍କ ସହାୟତା ପାଇଁ ନିବେଦନ କରିବାକୁ ପଡ଼ିଥିଲା। ଏହି ପରିସ୍ଥିତି ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ତାଙ୍କ ଇଟାଲୀ ଗସ୍ତ ବାତିଲ କରିବାକୁ ବାଧ୍ୟ କରିଥିଲା। ଗଭର୍ଣ୍ଣର ଗାଭିନ ନ୍ୟୁସୋମ ଘଟଣାସ୍ଥଳପରିଦର୍ଶନ କରି କହିଛନ୍ତି ଯେ ଅନେକ ଘର ଜଳିଯାଇଛି। ସେଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା।
ଅଧିକ ପଢ଼ନ୍ତୁ: ଲସ୍ ଆଞ୍ଜେଲସରେ ଭୟାବହ ଅଗ୍ନିକାଣ୍ଡ