କଟକ : ଏଥର କଟକ ବାରବାଟୀ ଷ୍ଟାଡିୟମରେ ହେବନି ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ। ଏଥର ବିଡ଼ାନାସି ମିନି ଷ୍ଟାଡିୟମରେ ପାଳନ ହେବ ସାଧାରଣତନ୍ତ୍ର ଦିବସ। ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ଆୟୋଜନ ହେବାକୁ ଥିବାରୁ ସାଧାରଣନ୍ତ୍ର ଦିବସ ପାଳନ ହେବନି। ଏନେଇ ସୂଚନା ଦେଲେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ବି ସିନ୍ଧେ।
ସୂଚନା ଯୋଗ୍ୟ ଆସନ୍ତା ଫେବୃଆରୀ ୯ ତାରିଖରେ ବାରବାଟୀ ଷ୍ଟାଡିୟମ ରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ଦିବାରାତ୍ର ମ୍ୟାଚ । ଏଥିପାଇଁ ବାରବାଟୀରେ ଚାଲିଛି ଜୋରସୋର ପ୍ରସ୍ତୁତି । ଷ୍ଟାଡିୟମର ୭ଟି ଯାକ ଗ୍ୟାଲେରୀ ସହ କ୍ଲକ ଟାୱାର, ପାଭିଲିୟନ ଓ ସ୍ପେଶାଲ ଏନକ୍ଲୋଜରର ରଙ୍ଗ କାମ ଦ୍ରୁତ ଗତିରେ ଚାଲିଥିବା ବେଳେ ପଡିଆର ଘାସ କଟା ଓ ପିଚ କାମ ତ୍ବରିତ ଗତିରେ ଚାଲିଛି । ମ୍ଯାଚର ଗୋଟିଏ ସପ୍ତାହ ପୂର୍ବରୁ ସମସ୍ତ କାମ ସାରିବାକୁ ଲକ୍ଷ୍ଯ ରଖାଯାଇଛି । ଦୁଇ ବର୍ଷ ଆଠ ମାସ ପରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ମ୍ଯାଚ । ଶେଷ ଥର ପାଇଁ ୨୦୨୨ ମସିହା ୧୨ ଜୁନରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ଯରେ ଏକ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯାଇଥିଲା । ଏଥିରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା । ତେବେ ଏଥର ଭାରତ-ଇଂଲଣ୍ଡ ଭଳି ଦୁଇ ଶକ୍ତିଶାଳୀ ଟିମ ମଧ୍ଯରେ ୫୦ ଓଭର ବିଶିଷ୍ଟ ମ୍ୟାଚ ହେବ। ମ୍ୟାଚ ପାଇଁ ଓସିଏ ଟିକେଟ ଦାମ ଘୋଷଣା କରି ସାରିଥିବା ବେଳେ ଏଥର ୪୪ ହଜାର ଦର୍ଶକ ମ୍ୟାଚକୁ ଉପଭୋଗ କରିବେ ବୋଲି ସୂଚନା ରହିଛି।