ଭୁବନେଶ୍ୱର : ଆସନ୍ତାକାଲି ଠାରୁ କମ୍ପିବ ରାଜଧାନୀ ପରିବେଶ। ରଙ୍ଗୀନ ହେବ ସନ୍ଧ୍ୟା। ଭୁବନେଶ୍ୱରର କୋଣ ଅନୁକୋଣରୁ ଶୁଭିବ ସଙ୍ଗୀତର ଝଙ୍କାର। ନୃତ୍ୟରେ ନାଚିବ ସାରା ସହର । ସ୍ବାଗତ ହେବେ ପ୍ରବାସୀ ଭାରତୀୟ । ସାରା ବିଶ୍ୱ ଦେଖିବ ଓଡିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟର ଗାରିମା। ସେଥିଲାଗି ପୂରା ପ୍ରସ୍ତୁତ ମନ୍ଦିରମାଳିନୀ ଏକାମ୍ର କ୍ଷେତ୍ର । ଯୁଆଡ଼େ ଯିବେ, ଯୁଆଡ଼େ ଦେଖିବେ ଚିତ୍ରକଳା ଆଉ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ରାଜଧାନୀ।
ବୁଧବାରଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତ ଦିବସ ସମ୍ମିଳନୀ। ସେଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ପ୍ରବାସୀ ଦିବସ ଅବସରରେ ଆଗରୁ ଆଦିବାସୀ ମେଳା, ଚିଲିକା ବିହଙ୍ଗ ଉତ୍ସବ ସହ ନାଇଟ୍ ବଜାର, ଏକାମ୍ର ଉତ୍ସବ, ପାର୍କ ଉତ୍ସବ ଆରମ୍ଭ ହୋଇସାରିଛି। ଆଜିଠାରୁ ଏହି ମହାପର୍ବରେ ଯୋଡ଼ି ହେବାକୁ ଯାଉଛି ଆଉ କିଛି ଉତ୍ସବ। ଆଜିଠାରୁ ଭୁବନେଶ୍ବର ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ରାଜାରାଣୀ ସଙ୍ଗୀତ ମହୋତ୍ସବ, ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ମୁକ୍ତେଶ୍ଵର ଓଡ଼ିଶୀ ନୃତ୍ୟ ମହୋତ୍ସବ ଏବଂ ରବୀନ୍ଦ୍ର ମଣ୍ଡପଠାରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବର ଆୟୋଜନ ହୋଇଛି। ଏକାମ୍ରକାନନରେ ଆଜିଠାରୁ ୫ ଦିନିଆ ପୁଷ୍ପମେଳା।
ସେପଟେ ପୁରୀ ବେଳାଭୂମିରେ ମଧ୍ଯ ଗୁଡ଼ି ଉତ୍ସବ ଏବଂ ପଲ୍ଲିଶ୍ରୀ ମେଳା ହୋଇଛି। ପ୍ରବାସୀ ଭାରତୀୟ ଦିବସ ପାଇଁ ସୋମବାର କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଭୁବନେଶ୍ବରରେ ପହଞ୍ଚିଛନ୍ତି । ସେହିପରି ସୋମବାର ରାତି ସୁଦ୍ଧା ୨ ଶହ ପ୍ରବାସୀ ମଧ୍ୟ ପହଞ୍ଚିଛନ୍ତି ।