ଢେଙ୍କାନାଳ: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଦୁର୍ଘଟଣାରୁ ଖୋଲିଛି ନିଶା କାରବାର ଗୁମର । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ବ୍ରିଜ୍ ତଳକୁ ଖସି ଯୁବକ ମୃତ୍ୟୁ ମାମଲାରେ ଏପରି କିଛି ତଥ୍ୟ ପୋଲିସ ହାତରେ ଲାଗିଛି । ମୃତ ଅନିଶ କ୍ୟୁରେଶିଙ୍କ ସହିତ ଥିବା ତାଙ୍କ ସାଙ୍ଗ ଏମ.ଡି ସ୍ମାଇଲ୍ ଜଣେ ବ୍ରାଉନ ସୁଗାର ବେପାରୀ ବୋଲି ଜାଣିବାକୁ ପାଇଛି ପୋଲିସ । ସେ ତାଳଚେର ସେଣ୍ଟ୍ରାଲ କଲୋନୀ ଅଂଚଳର ବାସିନ୍ଦା ଅଟେ । ଏମ ଡି ସ୍ମାଇଲକୁ ପୋଲିସ ଅଟକ ରଖିବା ସହିତ ତା ଠାରୁ ୬.୮୩ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି କାମାକ୍ଷାନଗର ପୋଲିସ । ସେ କାମାକ୍ଷାନଗର ଏବଂ ଆଖ ପାଖ ଅଂଚଳରେ ବେଶ କିଛି ଦିନ ହେବ ବ୍ରାଉନ ସୁଗାର ବେପାର କରି ଆସୁଥିଲା । ଯାହାର ପର୍ଦ୍ଦାଫାସ କରିଛନ୍ତି କାମାକ୍ଷାନଗର ଥାନା ଅଧିକାରୀ ଧୀରେନ କୁମାର ବେହେରା।
ଗତ ରବିବାର ରାତିରେ ଏମ ଡି ସ୍ମାଇଲ ଏବଂ ଅନିଶ କ୍ୟୁରେସି ଢେଙ୍କାନାଳରୁ ଅନୁଗୁଳ ଫେରୁଥିବାବେଳେ ଦୁର୍ଘଟଣାରୁ ସମ୍ମୁଖୀନ ହୋଇଥିଲେ । ତାଙ୍କ ବାଇକ୍ ଭାରସାମ୍ୟ ହରାଇ ଆଳତୁମା ଗାଁ ରାମିଆଳ ନଦୀ ବ୍ରିଜର ସେପ୍ଟି ୱାଲ୍ ରେ ପିଟି ହୋଇ ପୋଲ ତଳକୁ ଖସି ପଡ଼ିଥିଲା । ଫଳରେ ଘଟଣା ସ୍ଥଳରେ ଅନୀଶ କ୍ୟୁରେଶିର ମୃତ୍ୟୁ ହୋଇଯାଇଥିଲା । ମାତ୍ର ଅଳ୍ପକେ ବର୍ତ୍ତି ଯାଇଥିଲେ ଏମ. ଡି ସ୍ମାଇଲ ।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । କାମାକ୍ଷାନଗର ପୋଲିସ ଘଟଣାରେ ତଦନ୍ତ କରୁଥିବା ବେଳେ ବ୍ରାଉନ ସୁଗାର କାରବାର ନେଇ ସୁରାକ ପାଇଥିଲା । ତେବେ ଏହି ବ୍ରାଉନ ସୁଗାରର କାରବାର ଚେର କେଉଁ କେଉଁ ଅଂଚଳକୁ ଲମ୍ବିଛି ଏବଂ ଆଉ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ତାହାକୁ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରୁଛି ।