ଭୁବନେଶ୍ୱର : ରବିବାର ଭୁବନେଶ୍ୱର ବରମୁଣ୍ଡା ଖେଳ ପଡିଆ ଠାରେ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ଉଦ୍ଯାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ପାଣି ପଞ୍ଚାୟତ ଗୁଡିକର ନିୟମ ଅନୁଯାୟୀ କାଗଜ ପତ୍ର ଅଡିଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପାଣି ପଞ୍ଚାୟତ ଗୁଡିକୁ ସଶକ୍ତ କରି ଏଗୁଡିକୁ କୃଷି ବିପଣନ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଜଳସେଚନ ଏବଂ କୃଷି ବୈଜ୍ଞାନିକଙ୍କ ଗବେଷଣା ସହିତ ଚାଷୀ ଭାଇମାନଙ୍କ ପରିଶ୍ରମ ଯୋଗୁ ଆଜି ଆମେ ୧୪୦ କୋଟି ଲୋକଙ୍କୁ ଖାଦ୍ୟ ଯୋଗାଇ ପାରୁଛୁ ଏବଂ ବିଦେଶକୁ ମଧ୍ୟ ରପ୍ତାନୀ କରିପାରୁଛୁ । ଏଥିପାଇଁ ଚାଷୀର ଜମିକୁ ଜଳଯୋଗାଣ ଅତ୍ୟନ୍ତ ଆବଶ୍ୟକ । ତେଣୁ ଜଳସେଚନର ସମସ୍ତ ପ୍ରକଳ୍ପ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର କୃଷକମାନଙ୍କ ଜମିକୁ ପାଣି ଯୋଗାଇଦେବା ପାଇଁ ନୂଆ ଫିଲ୍ଡ ଚ୍ୟାନେଲ ନିର୍ମାଣ ସହିତ ପୁରୁଣା ଚ୍ୟାନେଲ ଗୁଡିକୁ କଂକ୍ରିଟ୍ ଚ୍ୟାନେଲରେ ପରିଣତ କରିବା ପାଇଁ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ୮୦ ହଜାର ହେକ୍ଟର ଜଳସେଚିତ ଅଞ୍ଚଳରେ ୨୪୦୦ କିଲୋମିଟର ନୂତନ କଂକ୍ରିଟ୍ କରନାଳୀ ନିର୍ମାଣ କରାଯିବ । ଏହା ସହିତ ୬୨ହଜାର ହେକ୍ଟର ଜଳସେଚିତ ଅଞ୍ଚଳରେ ୧୮୬୦ କିଲୋମିଟର ଅତି ପୁରୁଣା ଓ ଜରାଜୀର୍ଣ୍ଣ କ୍ଷେତ୍ରନାଳୀକୁ କଂକ୍ରିଟ ନାଳୀରେ ପୁନଃନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଏକଥା ମଧ୍ଯ କହିଛନ୍ତି ଯେ ଜଳର ସୁବ୍ୟବହାର, ଜଳ ବଣ୍ଟନରେ ସମତା ଏବଂ ଚାଷୀର ଜମିକୁ ପର୍ଯ୍ୟାପ୍ତ ଜଳ ସେଚନର ବ୍ୟବସ୍ଥା ସୁନିଶ୍ଚିତ କରିବା ଆମର ପ୍ରାଥମିକତା । ଏ ଦିଗରେ ପାଣି ପଞ୍ଚାୟତର ବଡ ଭୂମିକା ରହିଛି । ରାଜ୍ୟରେ ବର୍ତ୍ତମାନ ୩୯ ହଜାର ରୁ ଅଧିକ ପାଣି ପଞ୍ଚାୟତ ଜଳ ପରିଚାଳନାର ନେତୃତ୍ୱ ନେଉଛନ୍ତି । ଏହା ଦ୍ୱାରା ଜଳ ପରିଚାଳନାରେ ସମସ୍ତଙ୍କର ସହଭାଗିତା ରହିପାରୁଛି ଓ ଜଳର ଅପଚୟ ମଧ୍ୟ ରୋକା ଯାଇ ପାରୁଛି । ରାଜ୍ୟରେ ଜଳ ସମ୍ପଦର ବିକାଶ ପାଇଁ ଚଳିତ ବର୍ଷର ବଜେଟରେ ୧୩,୨୨୩ କୋଟି ରୁ ଅଧିକ ଟଙ୍କା ପ୍ରାବଧାନ କରାଯାଇଛି । ଚଳିତ ବଜେଟରେ ନୟାଗଡ ଜିଲ୍ଲାରେ ବୃତଙ୍ଗ ଜଳସେଚନ ପ୍ରକଳ୍ପ, ଗଂଜାମ ଜିଲ୍ଲାର ପିପଳପଙ୍କ ପ୍ରକଳ୍ପ, ବଲାଙ୍ଗିର ଜିଲ୍ଲାର ଉପର ଲାନ୍ଥ ଜଳସେଚନ ପ୍ରକଳ୍ପ, ଅନୁଗୁଳ ଜିଲ୍ଲାର ସମାକୋଇ ବ୍ୟାରେଜ ପ୍ରକଳ୍ପ, ବରଗଡ ଜିଲ୍ଲାରେ ୩ଟି ଓ ନୂଆପଡା ଜିଲ୍ଲାର ୭ଟି ଉଠାଜଳସେଚନ ପ୍ରକଳ୍ପ, କଳାହାଣ୍ଡି ଜିଲ୍ଲାରେ ୩ଟି ଓ ନୂଆପଡା ଜିଲ୍ଲାରେ ୨ଟି ଏମ.ଆଇ.ପି., କଳାହାଣ୍ଡି, ବଲାଙ୍ଗିର, ବରଗଡ ଓ ନୂଆପଡା ଜିଲ୍ଲାରେ ୩୫୯ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ଏବଂ ୧୧,୮୮୬ ଗଭୀର ନଳକୂପ ପ୍ରକଳ୍ପ ଆରମ୍ଭ କରିବା ପ୍ରକ୍ରିୟା ତ୍ୱାରାନ୍ୱିତ ହୋଇଛି । ବିଭାଗୀୟ ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଏହି ସବୁ ପ୍ରକଳ୍ପକୁ ସମୀକ୍ଷା କରୁଛନ୍ତି ବୋଲି କହିଛନ୍ତି ।