ନିର୍ବାଚନ ଗୋଟିଏ ଦିନ ପୂର୍ବରୁ କଂଗ୍ରେସକୁ ଝଟ୍‌କା: ହାତ ଛାଡ଼ିଲେ ମହିଳା ସଭାନେତ୍ରୀ ସୁମିତ୍ରା
Khabar Odisha:politics-odisha-congress-mahila-morcha-president-sumitra-jena-resigns-from-party
ଭୁବନେଶ୍ୱର, ଅପ୍ରେଲ ୦୯(ଖବର ଓଡ଼ିଶା):

ମତଦାନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି । ଦଳ ଭିତରେ ଚାଲିଥିବା ବିଶୃଙ୍ଖଳା ଗୋଟିଏ ପରେ ଗୋଟିଏ ପଦାକୁ ଆସୁଛି । ଦଳର ଟିକେଟ୍‌ ସମୀକରଣ ଏବେବି ସମାଧାନ ହୋଇପାରୁ ନାହିଁ । ଶେଷ ମୂହୁର୍ତ୍ତରେ ପ୍ରାର୍ଥୀମାନେ ନିର୍ବାଚନ ଲଢ଼ିବାକୁ ମନା କରୁଥିବାବେଳେ ଟିକେଟ୍‌ ନ ପାଇ ବରିଷ୍ଠ ନେତ୍ରୀ ହାତ ଛାଡ଼ି ଦେଇଛନ୍ତି । ମହିଳା କଂଗ୍ରେସର ସଭାନେତ୍ରୀ ସୁମିତ୍ରା ଜେନା ଦଳ ଏବଂ ନିଜ ପଦରୁ ଇସ୍ତଫା ଦେଇଥିବା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ପିସିସି ସଭାପତିଙ୍କ କାର୍ଯ୍ୟଶୈଳୀରେ ସେ ଅଣ ନିଶ୍ୱାସୀ ହୋଇପଡ଼ିଥିବା କହିଛନ୍ତି । 

ସୁମିତ୍ରା ସଭାପତିଙ୍କ ବିରୋଧରେ ସଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଦଳରେ ବେପାରୀଙ୍କୁ ଟିକେଟ୍‌ ମିଳିଛି  । ସେହିପରି ଯାହା ପାଖରେ ପ୍ରଚୁର ଟଙ୍କା ଅଛି, ଯେଉଁ ମହିଳା ସୁନାରେ ଛାଇ ହୋଇକି ଆସୁଛନ୍ତି, ଯାହାର ୧୦ଟା ମଦ ଦୋକାନ ଅଛି ଏବଂ ଯାହାର ସୌନ୍ଦର୍ଯ୍ୟ ଅଛି ତାଙ୍କୁ ଟିକେଟ୍‌ ମିଳିଛି । ଏହା ସହିତ ସୁମିତ୍ରା ଆହୁରି କହିଛନ୍ତି ଯେ ଚାରି ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ମହିଳା କଂଗ୍ରେସ ନିଷ୍କ୍ରିୟ ହୋଇ ରହିଥିଲା । ମୁଁ ଆଉ କର୍ମୀମାନେ ତାହାକୁ ସୁଦୃଢ଼ କଲୁ ଏବଂ ମହିଳା କଂଗ୍ରେସକୁ ଉଠାଇଥିଲୁ । ନିର୍ବାଚନ ପାଇଁ ମୋତେ ପ୍ରାର୍ଥୀଙ୍କ ନାଁ ମଗାଯାଇଥିଲା । ସେଥିଲାଗି ୫୨ ବିଧାନସଭା ଓ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଦେଇଥିଲି । କିନ୍ତୁ ସେ ତାଲିକାରେ ୧୦% ପ୍ରତିଶତ ପ୍ରାର୍ଥୀଙ୍କୁ ବି ସାମିଲ କଲେ ନାହିଁ । ଯେଉଁମାନଙ୍କୁ ଟିକେଟ୍‌ ମିଳିଛି ସେମାନେ କଂଗ୍ରେସର ପତାକା ଦିନେ ବି ଧରି ନାହାଁନ୍ତି ବୋଲି ସମିତ୍ରା ଅଭିଯୋଗ କରିଛନ୍ତି । ସଭାପତି କହିଲେ ଯୋଗ୍ୟ କିମ୍ବା ଭଲ ପ୍ରାର୍ଥୀ ମିଳିଲାନି । ସେ ଭଲର ମାପକାଠି କ’ଣ ସିଏ ଦିଅନ୍ତୁ ବୋଲି ସୁମିତ୍ରା ଦାବି କରିଛନ୍ତି । ଏ ନେଇ ସଭାପତି କେବେବି ଆଲୋଚନା କଲେ ନାହିଁ । 

ସେ ଆହୁରି ମଧ୍ୟ କହିଛନ୍ତି ଆମେ ଅନ୍ୟାୟକୁ କେବେ ସହିବୁନି ଏବଂ ଏହା ବିରୋଧରେ ଲଢ଼େଇ କରିବି । ମହିଳାଙ୍କ ପାଇଁ ଲଢ଼େଇ କରିଛୁ, ଆଗକୁ ମଧ୍ୟ କରିବୁ । ତେବେ ସେ କେଉଁ ଦଳରେ ଯୋଗ ଦେବେ ତାହା ସ୍ଥିର କରି ନାହାଁନ୍ତି ବୋଲି କହିଛନ୍ତି । 

ସୁମିତ୍ରା ଜେନା ଭଦ୍ରକ ଆସନ ପାଇଁ ଆଶାୟୀ ଥିଲେ । ଏହା ସହିତ ୫୨ ଜଣ ମହିଳା ନେତ୍ରୀଙ୍କୁ ପ୍ରାର୍ଥୀ କରିବାକୁ ନାଁ ସୁପାରିଶ କରିଥିଲେ । ଏ ନେଇ ସେ ରାଜ୍ୟ ମୁଖିଆ ନିରଞ୍ଜନ ପଟ୍ଟନାୟକଙ୍କ ସହିତ ବାରମ୍ବାର ଆଲୋଚନା କରିଥିଲେ । ଏପରିକି ସେ ନିଜ ସମର୍ଥକଙ୍କ ସହିତ ଦଳୀୟ କାର୍ୟ୍ୟା ଳୟରେ ବି ନାରାବାଜି କରିଥିଲେ । କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ତାଙ୍କ ସୁପାରିଶ ଆଧାରରେ ଦଳ କାହାକୁ ବି ପ୍ରାର୍ଥୀ କରି ନ ଥିଲା । 

Subscribe

National International State Sports Entertainment