ଗୁଜୁରାଟରେ ଉଦାହରଣ ସୃଷ୍ଟି କରିଛନ୍ତି ଓଡ଼ିଆ ବୋହୁ । ଗୁଜୁରାଟର ସୁରଟ ସହରରେ ଆକାଶ ମହିଳା ମଣ୍ଡଳ ନାଁରେ ଏକ ସଂଗଠନ ଗଢି କମ ପଢିଥିବା ଆର୍ଥିକ ଦୁର୍ବଳ ବର୍ଗର ମହିଳାଙ୍କୁ ସ୍ୱାବଲମ୍ବୀ କରାଉଛନ୍ତି ଏହି ମହିଳା କିରଣ ଦାସ । ବିଗତ ୯ ବର୍ଷ ମଧ୍ୟରେ କିରଣ ଅନ୍ୟୁନ ୫ ହଜାର ମହିଳାଙ୍କୁ ମୂର୍ତ୍ତି କାରିଗର ,ସିଲେଇ ମାଷ୍ଟର ଓ ମେକଅପ ଆର୍ଟିଷ୍ଟ ଭାବେ ପ୍ରଶିକ୍ଷିତ କରାଇ ନିୟମିତ ଆୟ ପ୍ରାପ୍ତିରେ କରିଛନ୍ତି ସହଯୋଗ । ରାତି ପାହିଲେ କିରଣ ଘରର କାମ ସାରି ଆକାଶ ମହିଳା ମଣ୍ଡଳ କାର୍ଯ୍ୟାଳୟରେ ପହଞ୍ଚନ୍ତି । ପ୍ରଶିକ୍ଷକଙ୍କ ସହଯୋଗରେ ଯୁବତୀ ଓ ମହିଳାଙ୍କ ପାଇଁ ଆରମ୍ଭ ହୁଏ ପ୍ରଶିକ୍ଷଣ । କିଏ ସିଲେଇ ୟୁନିଟରେ ତାଲିମ ନିଅନ୍ତି ତ କିଏ ତିଆରି କରନ୍ତି ପରିବେଶ ଅନୁକୂଳ ମାଟିରେ ମୂର୍ତ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ମନ୍ତ୍ରରେ ଅନୁପ୍ରାଣିତ କିରଣ ୨୦୧୪ ମସିହାରୁ ସଂଗଠନ ଗଢି ଲାଗିଛନ୍ତି ଏଭଳି ଭାବେ ମହିଳାଙ୍କ ଆୟ ବୃଦ୍ଧି କାର୍ଯ୍ୟକ୍ରମରେ । ସେ Jକହନ୍ତି ଏଠୁ ପ୍ରଶିକ୍ଷଣ ନେଇ ୫ ହଜାରରୁ ଅଧିକ ମହିଳା କୁଶଳୀ ହୋଇପାରିଛନ୍ତି ଯାହା ମୋ ପାଇଁ ଖୁସିର କଥା ।
୫ ଜଣ ମହିଳାଙ୍କୁ ନେଇ ୨୦୧୪ରେ ଆରମ୍ଭ ହୋଇଥିବା ଆକାଶ ମହିଳା ମଣ୍ଡଳ ଏବେ ୯ବର୍ଷରେ ପାଦ ଥାପିଛି । ଅତୀତର ଶିକ୍ଷାର୍ଥୀ ଏବେ ଏଠାରେ ତାଲିମଦାତା ସାଜି ନବାଗତାଙ୍କୁ ଦେଉଛନ୍ତି ମାର୍ଗଦର୍ଶନ । ମହିଳା ମଣ୍ଡଳ ପରିସରରେ ଏବେ ତିନୋଟି ବିଭାଗରେ ପ୍ରଶିକ୍ଷଣ ଓ ଉତ୍ପାଦନ ଆରମ୍ଭ ହୋଇଛି । କପଡା ସିଲେଇ ,ମୂର୍ତ୍ତି ତିଆରି ଓ ବିୟୁଟି ପାର୍ଲର ଜରିଆରେ ଜଣେ କିଭଳି ରୋଜଗାର କରିପାରିବ ସେ ଦିଗରେ ଏଠାରେ ଦିଆଯାଉଛି ଧ୍ୟାନ । ବିୟୁଟି ପାର୍ଲର ,ପୋଷାକ ସିଲେଇ ଓ ମୂର୍ତ୍ତି କାରିଗରୀରେ ନିୟୋଜିତ ମହିଳା ମାନେ ମହିଳା ମଣ୍ଡଳକୁ ଧନ୍ୟବାଦ ଜ୍ଞାପନ ସହିତ ମାସିକ ୮ରୁ ୧୦ ହଜାର ରୋଜଗାର କରିପାରୁଥିବା କହିଛନ୍ତି । ଓଡିଶା ବାହାରେ ଜଣେ ଓଡ଼ିଆ ବୋହୁ ହଜାର ସଂଖ୍ୟକ ମହିଳାଙ୍କୁ ସ୍ୱାବଲମ୍ବୀ କରାଇବାର କାହାଣୀ ନିଶ୍ଚିତ ଭାବେ ପ୍ରେରଣାଦାୟୀ ଓ ଉଦାହରଣ ।