ସମ୍ବଲପୁର: ଧନୁପାଲି ଥାନା ଅନ୍ତର୍ଗତ ଭୁତାପଡାର ଓରାମପଡା ରେ ଆଜି ସକାଳୁ ହତ୍ୟାକାଣ୍ତ ଘଟିଛି । ଓରାମପଡାରେ ସେହି ପଡ଼ାର ଜଣେ ଯୁବକକୁ ଅତି ନିର୍ମମ ଭାବରେ ମାରାଣାସ୍ତ୍ରରେ ହତ୍ୟା କରାଯାଇଛି । ମୃତ ଯୁବକ ଜଣକ ହେଲେ ଏମଡି ରିଙ୍କୁ । ତେବେ ପଡ଼ାର ନିଶା କାରବାରକୁ ନେଇ ଯୁବକଙ୍କୁ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ଭୁତାପଡା ଡାକ୍ତର ନାରାୟଣୀ ପଣ୍ଡା ଗଳି ନିକଟ ଓରାମପଡାରେ ଥିବା ମଦ ଭାଟିରେ ଆଜି ସକାଳୁ କୌଣସି କାରଣ ନେଇ ରିଙ୍କୁକୁ କିଛି ଯୁବକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ପରେ ଖବର ପାଇ ପରିବାର ଲୋକେ ରିଙ୍କୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ଡାକ୍ତର ରିଙ୍କୁଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ବିଷୟରେ ଧନୁପାଲି ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ମଧ୍ୟ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ କରୁଛନ୍ତି । କିଏ ଓ କାହିଁକି ଏପରି ହତ୍ୟା କରିଛି ତାହା ଅସ୍ପଷ୍ଟ ରହିଛି ।