ପୁରୀ: ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ନେଇ ଧରାପଡିଲା ଯୁବକ । ଅଭିନବ ଉପାୟରେ ଶ୍ରୀମନ୍ଦିର ଭିତରେ କୟଦ କରିଥିଲେ ଫୋଟୋ ଓ ଭିଡିଓ । ନିଜ ଚଷମାରେ ଲେନ୍ସ ଲଗାଇ ଭିତର ଭିଜୁଆଲ ଉତ୍ତୋଳନ କରୁଥିଲେ ଯୁବକ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁସାରେ ଯୁବକ ଜଣଙ୍କ ନିଜ ଚଷମାରେ ଲେନ୍ସ ଲଗାଇ ଶ୍ରୀମନ୍ଦିରର ଭିତର ଭିଜୁଆଲ ଉତ୍ତୋଳନ କରୁଥିଲା । ଚଷମାରେ ଲାଗିଥିବା ଲେନ୍ସରୁ ଫୋଟୋ ଭିଡିଓ ଗୁଡ଼ିକ ସିଧାସଳଖ ମୋବାଇଲକୁ ଟ୍ରାନ୍ସଫର ହେଉଥିଲା । ବେହରଣ ଦ୍ଵାର ନିକଟରେ ସନ୍ଦେହ ହେବାରୁ ଉକ୍ତ ଯୁବକକୁ ପୋଲିସ ଧରିଥିଲା । ଏହାପରେ ଶ୍ରୀମନ୍ଦିର ସଶସ୍ତ୍ର ସୁରକ୍ଷା ବାହିନୀ ତାକୁ ସିଂହଦ୍ୱାର ଥାନାର କଣ୍ଟ୍ରୋଲ ରୁମ ଜିମା ଦେଇଛନ୍ତି । ତେବେ ଯୁବକ ଜଣଙ୍କ ପୁରୀ ଗଜପତି ନଗର ଅଞ୍ଚଳର ଅଭୀଷିତ କର ବୋଲି ଜଣାପଡିଛି ।
ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି । ଯୁବକଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ଏହି ଘଟଣାକୁ ଗୁରୁତ୍ୱ ଦେଇ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ପାଇଁ ଚର୍ଚ୍ଚା କରୁଛନ୍ତି ।