ନୂଆଦିଲ୍ଲୀ: ରାଜ୍ୟ ସଭାରେ କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାକିସ୍ତାନ ଗସ୍ତକୁ ଟିପ୍ପଣୀ କରିବା ପରେ ଜେପି ନଡ୍ଡା ଜବାବ ଦେଇଛନ୍ତି ।
ଲଗାତର ଦୁଇ ଦିନ ହେବ ସଂସଦର ଉଭୟ ଗୃହରେ ଅପରେସନ ସିନ୍ଦୁରକୁ ଆଲୋଚନା ଜାରି ରହିଛି । ମଙ୍ଗଳବାର ଗୃହ କାର୍ଯ୍ୟବେଳେ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନ ଗସ୍ତକୁ ନେଇ ସେ ଟାର୍ଗେଟ୍ କରିଥିଲେ । ଏହା ପରେ କେନ୍ଦ୍ର ଜେପି ନଡ୍ଡା ଖଡ଼ଗେଙ୍କ ଉପରେ ରାଗି ଯାଇଥିଲେ ।
ନଡ୍ଡା କଡ଼ା ଶବ୍ଦରେ ଖଡ଼ଗେଙ୍କ ଉପରେ ବର୍ଷଣ କରି କହିଛନ୍ତି, ଯେଉଁଭଳି ଭାବରେ ପ୍ରଧାନମନ୍ତ୍ରୀଙ୍କ ଉପରେ ଟିପ୍ପଣୀ ଦେଇଛନ୍ତି, ତାହା ଠିକ୍ ନୁହେଁ । ମୋଦୀ ଆଜି ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଏବଂ ୧୧ ବର୍ଷ ହେବ ଦେଶର ପ୍ରଧାନମନ୍ତ୍ରୀ ରହିଛନ୍ତି । ଏହା କେବଳ ଦଳ ପାଇଁ ନୁହେଁ ଦେଶ ପାଇଁ ଗୌରବର କଥା ।
ନଡ୍ଡା ଆହୁରି କହିଛନ୍ତି, କିନ୍ତୁ ଆପଣ ଦଳ ସହିତ ଏତେ ମିଶି ଯାଇଛନ୍ତି ଯେ ଆପଣଙ୍କ ପାଇଁ ଦେଶର ପ୍ରସଙ୍ଗ ଗୌଣ ଲାଗୁଛି ଏବଂ ନିଜର ମାନସିକ ସନ୍ତୁଳନକୁ ହରାଇ ଏଭଳି ଶବ୍ଦର ପ୍ରୟୋଗ କରୁଛନ୍ତି । ମାନସିକ ସନ୍ତୁଳନ ଶବ୍ଦ ପାଇଁ ବିରୋଧୀ ସଦସ୍ୟମାନେ ଗୃହରେ ହଙ୍ଗାମା କରିଥିଲେ । ନଡ୍ଡା ନିଜର ଶବ୍ଦକୁ ଫେରାଇ ନେଇଥିଲେ । ଭାବାବେଗ ଶବ୍ଦ ଯୋଡ଼ିଥିଲେ ।