ଭୁୁବନେଶ୍ୱର: ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରଶ୍ନ ପତ୍ର ଲିକ୍ ହେବାରୁ ଗତ ଦିନରେ ପରୀକ୍ଷା ବାତିଲ କରାଯାଇଥିଲା । ଏହାକୁ ନେଇ ଆଶାୟୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇବା ସହ ଶିକ୍ଷକ ମହଲରେ ଉଦବେଗ ପ୍ରକାଶ ପାଇଥିଲା । ଏବେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ଗ୍ରାମର ଜଣେ ଶିକ୍ଷକଙ୍କୁ ଉଠାଇ ନେଇଥିବା ଜଣା ପଡିଛି ।
କ୍ରାଇମବ୍ରାଞ୍ଚ ଉଠାଇ ନେଇଥିବା ଶିକ୍ଷକ ହେଉଛନ୍ତି ବିଜୟ ମିଶ୍ର । ସେ ରାୟଗଡା ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ତଥା ଡଙ୍ଗରବୋରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ ତଦନ୍ତରେ ପ୍ରଶ୍ନପତ୍ର ଲିକ୍ ମାମଲରେ ବିଜୟଙ୍କ ସଂପୃକ୍ତି ଥିବା ଜଣା ପଡିଥିଲା । ଏହା ପରେ କ୍ରାଇମବ୍ରାଞ୍ଚ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶିକ୍ଷକ ବିଜୟ ମିଶ୍ରଙ୍କୁ ଉଠାଇ ନେଇଥିବା ଜଣା ଯାଇଛି । ତେବେ ତଦନ୍ତକାରୀ ଏଜେନ୍ସି ବିଜୟଙ୍କୁ କେଉଁଠି କି ନେଇ ପଚରା ଉଚୁରା କରୁଛି ତାହା ଜଣା ପଡିନାହିଁ ।