ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କାମକୁ ସହଜ ଓ ସରଳ କରିବାକୁ ପୂର୍ତ୍ତ ବିଭାଗ କାମରେ ବ୍ୟବହାର କରାଯିବ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) । ଫଳରେ ବିଭିନ୍ନ ଟେଣ୍ଡର ପ୍ରକ୍ରିୟା ଅତି ସହଜ ଏବଂ ତ୍ୱରିତ ହେବ । ଯଦ୍ୱାରା ପ୍ରକଳ୍ପ କାର୍ଯ୍ୟଗୁଡ଼ିକ ଶୀଘ୍ର ଆରମ୍ଭ ହୋଇ ପାରିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ମନ୍ତ୍ରୀଙ୍କ ସୂଚନା ଅନୁସାରେ ପୂର୍ତ୍ତ ବିଭାଗ କାମରେ ଏଆଇ ସଫ୍ଟୱେଆର୍ ବ୍ୟବହାର କରିବେ ସରକାର । ଟେଣ୍ଡର ମ୍ୟାନେଜମେଣ୍ଟ ପ୍ରକ୍ରିୟାକୁ ସଂପୂର୍ଣ୍ଣ ରୂପେ ଏଆଇ ଏବଂ ଅନଲାଇନ୍ ରେ କରାଯିବ । ଫଳରେ ଦୁଇରୁ ଅଢେଇ ମାସ ଲାଗୁଥିବା ଟେଣ୍ଡର୍ ବିଡ଼ିଂ ପ୍ରକ୍ରିୟା ଏକ ସପ୍ତାହ ଭିତରେ ହୋଇପାରିବ ଏବଂ ଯଥାଶୀଘ୍ର ପ୍ରକଳ୍ପ କାମ ଆରମ୍ଭ ହୋଇପାରିବ । ଆଉ ପ୍ରକଳ୍ପ ଶେଷ ହେବାରେ ବିଳମ୍ୱ ହେବ ନାହିଁ । ଲୋକଙ୍କ ପାଖରେ କମ୍ ସମୟ ଭିତରେ ସେବା ପହଞ୍ଚିପାରିବ ।
ଏଥିପାଇଁ ଅନଲାଇନ ଆପ୍ଲିକେସନ କରିବା ଦିଗରେ ପଦକ୍ଷେପ ଆରମ୍ଭ କରାଯାଇଛି । ଏ ନେଇ ଗତକାଲି ଏକ ରିସର୍ଚ୍ଚ ଟିମ୍ ସହ ବିଭାଗ ପକ୍ଷରୁ ଆଲୋଚନା କରାଯାଇଛି । ତେବେ ପ୍ରକଳ୍ପର ବିଡ୍ ଦାଖଲ ହେଲା ପରେ ବିଡ୍ ଗୁଡ଼ିକର ମୂଲ୍ୟାୟନ କରିବା, ଟେକ୍ନିକାଲ୍ ବିଡ୍ ଏବଂ ଫାଇନାଲସିଆଲ୍ ବିଡ୍ ର ତୁଳନା କରିବା, ଏଥିପ୍ରତି ଇଚ୍ଛା ଅଛି କି ନାହିଁ ଅନୁଧ୍ୟାନ କରିବା ଓ ଟେଣ୍ଡର ପ୍ରକ୍ରିୟା ସଂପୂର୍ଣ୍ଣ ରୂପେ ଏଆଇ ଦ୍ୱାରା ମନିଟର କରିବା ପାଇଁ ସରକାର ଖୁବଶୀଘ୍ର ନିଷ୍ପତି ନେବାକୁ ଯାଉଛନ୍ତି । ପୂର୍ବରୁ ଏହି ସବୁ ପ୍ରକ୍ରିୟାକୁ ମାନୁଆଲ୍ କରାଯାଉଥିଲା । ଯାହା ଫଳରେ ପ୍ରକଳ୍ପର ଡିପିଆର୍ ପ୍ରସ୍ତୁତ ହେବା ଠାରୁ ପ୍ରକଳ୍ପ କାମ ଆରମ୍ଭ ହେବା ପର୍ଯ୍ୟନ୍ତ ଚାରିରୁ ପାଞ୍ଚ ମାସ ସମୟ ଲାଗିଯାଉଛି ।
ଓଡ଼ିଶାରେ କାମ କରିବାକୁ ବାହାର ସଂସ୍ଥାମାନେ କଣ୍ଟ୍ରାକ୍ଟର୍ ଡାଟା ବେସରେ ପଞ୍ଜୀକରଣ କରିବେ । ଯଦି ପଞ୍ଜୀକରଣ ନ କରିବେ ତେବେ ରାଜ୍ୟ ବାହାର ସଂସ୍ଥା ଓଡ଼ିଶାରେ କୌଣସି ପ୍ରକଳ୍ପ କାମ କରି ପାରିବେ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ଖୁବଶୀଘ୍ର ଏ ନେଇ ନିଷ୍ପତି ନେବେ ସରକାର । ପୂର୍ତ୍ତ ବିଭାଗ କାମରେ ଇ - କ୍ରୟ ପ୍ରକ୍ରିୟାକୁ ଅନଲାଇନ୍ କରିବା ସହ ସ୍ୱଚ୍ଛତା ମଧ୍ୟ ଅଣାଯିବ ଯ ଆଣିବେ ସରକାର । ଏହାସହ କେଉଁ ପ୍ରକଳ୍ପର କେତେ କାମ ହୋଇଛି, ସେ ବାବଦରେ ଜାଣିବା ପାଇଁ ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ କାମ ମଧ୍ୟ କରାଯାଇଛି ।