ଭୁବନେଶ୍ୱର: ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଆର୍ ଆଣ୍ଡ୍ ବି ଡିଭିଜନ୍-୩ ର ସହକାରୀ ଯନ୍ତ୍ରୀ ରାଜ କିଶୋର ଜେନା ସରକାରୀ ଚାକିରିଆ କମ୍ ବରଂ ଜମିଦାର ବାବୁ ଭଳି ଅଧିକ ଲାଗୁଛନ୍ତି । ଏହି ସରକାରୀ ଅଧିକାରୀଙ୍କ ସେଭଳି କିଛି ଆଖି ଦୃଶିଆ ନଗଦ ଟଙ୍କା ମିଳିନଥିବାବେଳେ ଜମି ଉପରେ ଜମି କିଣି ସମ୍ପତ୍ତି ବଢ଼ାଇଛନ୍ତି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ରାଜ କିଶୋର ଜେନାଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ଉ କରିଛି । ଚଢ଼ଉବେଳେ ଗୋଟିଏ ବହୁ ତଳ ବିଶିଷ୍ଟ ଘର, ୨ ଟି ଫ୍ଲାଟ୍, ଉତ୍କଳ କନିକା ଗ୍ୟାଲେରିଆ ଏବଂ ସିମ୍ଫୋନୀ ମଲରେ ଦୋକାନ ଘର, ୧୩ଟି ଦାମୀ ମୂଲ୍ୟର ଜମି ଇତ୍ୟାଦି ଠାବ କରାଯାଇଛି । ମାତ୍ର ଅନ୍ୟାନ୍ୟ ବ୍ୟାଙ୍କ୍ ଜମା ରାଶି ଏବଂ ସୁନା ଗହଣାର ଆକଳନ କରାଯାଇ ନାହିଁ ।
ଭୁବନେଶ୍ୱର ନିଳାଦ୍ରୀ ବିହାରରେ ସେକ୍ଟର-୫ରେ ଏକ ବିଳାସପୂର୍ଣ୍ଣ ତିନି ମହଲା କୋଠା ରହିଛି । ଯାହାକି ସାଢ଼େ ୩ ହଜାର ବର୍ଗ ଫୁଟ୍ ଜମି ଉପରେ ନିର୍ମାଣ ହୋଇଛି । କସ୍ମୋପଲିସ୍ ଇ ଏବଂ ଏଚ୍ ଟାୱାରରେ ୨ଟି ଫ୍ଲାଟ୍ ରହିଛି ।
ସେହିପରି ୧୩ଟି ଜମି ମଧ୍ୟରେ ଭୁବନେଶ୍ୱର ଉତ୍ତରମୁଣ୍ଡ ମୁହାଣରେ ଗୋଟିଏ ଜମି ଥିବାବେଳେ କନ୍ତାପଡ଼ାରେ ଗୋଟିଏ ଜମି ରହିଛି । ସେହିପରି ଭଗବାନପୁରରେ ୨ଟି, ଚନ୍ଦକାରେ ୩ଟି ଏବଂ ମରିଚିଆରେ ଗୋଟିଏ ପ୍ଲଟ୍ ରହିଛି । ଅନ୍ୟପକ୍ଷରେ ନୟାଗଡ଼ ଜିଲ୍ଲାରେ ମଧ୍ୟ ଏକାଧିକ ସ୍ଥାନରେ ଜମି କିଣିଛନ୍ତି । ନୟାଗଡ଼ ଟାଉନର ଜାମୁସାହିରେ ୨ଟି ଏବଂ ଖୋର୍ଦ୍ଧାରେ ଗୋଟିଏ ପ୍ଲଟ୍ ଥିବା ଭିଜିଲାନ୍ସ ବିଭାଗରୁ ସୂଚନା ଦିଆଯାଇଛି ।
ଏଥିରେ ଭିଜିଲାନ୍ସ ବିଭାଗର ୭ ଜଣ ଡିଏସ୍ପି, ୫ ଜଣ ଇନସ୍ପେକ୍ଟର୍, ଜଣେ ଏସ୍ଆଇ ଓ ୧୧ ଏଏସ୍ଆଇ ସାମିଲ ହୋଇଛନ୍ତି ।