ଭୁବନେଶ୍ୱର: ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀର ଜଳସ୍ତର କମୁଛି । ଫଳରେ ଏବେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ଏନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି । ବିଭିନ୍ନ ନଦୀର ଜଳସ୍ତର କମିବା ଫଳରେ ତଳିଆ ଅଞ୍ଚଳରେ ଜମିଥିବା ପାଣି ନିଷ୍କାସନ ହେଉଛି। ରାଜ୍ୟରେ ବର୍ଷାର ପରିମାଣ କମିଛି । ଫଳରେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତିର ଭୟ ନାହିଁ ।
ବର୍ତ୍ତମାନ ହୀରାକୁଦ ଡ୍ୟାମରେ ୨୦ଟି ଗେଟ୍ ବନ୍ୟାଜଳ ନିଷ୍କାସନ କରାଯାଉଛି । ଜଳଭଣ୍ଡାରର ଜଳସ୍ତର ୬୧୪.୨୭ ଫୁଟ୍ ରହିଥିବାବେଳେ ୨ଲକ୍ଷ ୭୬ ହଜାର କ୍ୟୁସେକ ଜଳ ପ୍ରବେଶ ଜଳଭଣ୍ଡାରକୁ ପ୍ରବେଶ କରୁଛି । ଜଳଭଣ୍ଡାରକୁ ଜଳର ପ୍ରବେଶ ସ୍ଥିତିକୁ ନଜରରେ ରଖି ପର୍ଯ୍ୟାୟକ୍ରମେ ଗେଟ୍ ବନ୍ଦ କରାଯିବ ବୋଲି ସୂଚନା ମିଳିଛି । ସବୁ ନଦୀର ଜଳସ୍ତର ବିପଦ ସଂକେତ ତଳେ ରହିଛି ।
ରାଜ୍ୟରେ ଗତ କିଛି ଦିନ ହେବ ଲଗାଣ ବର୍ଷା ହେବାରୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ତଳିଆ ଅଞ୍ଚଳରେ ଲୋକମାନେ ଜଳମଗ୍ନ ଅବସ୍ଥାରେ ରହିଥିଲେ । ପାଣି କମିବାରୁ ଲୋକମାନଙ୍କର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି ।