ଭୁବନେଶ୍ୱର: ଏଣିକି ଘରୋଇ ପ୍ରତିଷ୍ଠାନରେ ରାତିରେ କାମ କରିପାରିବେ ମହିଳା କର୍ମଚାରୀ । କିନ୍ତୁ ଉକ୍ତ ମହିଳା କର୍ମଚାରୀମାନେ ଲିଖିତ ଆକାରରେ ସହମତି ପତ୍ର ଦେଲା ପରେ ନାଇଟ୍ ସିଫ୍ଟ ଡ୍ୟୁଟି କରିବାକୁ ଅନୁମତି ପାଇବେ । ଏ ନେଇ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ମହିଳାଙ୍କୁ ସ୍ଵାବଲମ୍ବୀ କରିବା ଏବଂ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରମ ବିଭାଗ ପକ୍ଷରୁ ଓଡ଼ିଶା ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଆଇନ-୧୯୫୬ରେ ପରିବର୍ତ୍ତନ କରାଯାଇଛି । ରାଜ୍ୟ ସରକାର ଲାଗୁ ହୋଇଥିବା ଧାରା-୨୩କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯଦ୍ୱାରା ଏଣିକି ରାତିରେ ମହିଳା କର୍ମଚାରୀମାନେ ଉକ୍ତ ଅନୁଷ୍ଠାନରେ ରାତିରେ କାମ କରିପାରିବେ । କିନ୍ତୁ ମହିଳା କର୍ମଚାରୀଙ୍କୁ ଲିଖିତ ଆକାରରେ ସହମତି ପତ୍ର ଦେବାକୁ ପଡ଼ିବ କି ସେମାନେ ରାତିରେ କାମ କରିବାକୁ ପ୍ରସ୍ତୁତ ଅଛନ୍ତି ।
ଏହା ସହିତ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରମ ବିଭାଗ ପକ୍ଷରୁ ସମସ୍ତ ପ୍ରତିଷ୍ଠାନ ପାଇଁ କେତୋଟି ନିୟମ ମଧ୍ୟ ରଖାଯାଇଛି । ରାତିରେ ଘରୋଇ ଅନୁଷ୍ଠାନରେ ଅତିକମରେ ୩ ଜଣ ମହିଳା କର୍ମଚାରୀ କାର୍ଯ୍ୟ କରୁଥିବା ଆବଶ୍ୟକ । ଖାଲି ସେତିକି ନୁହେଁ କାର୍ଯ୍ୟସ୍ଥଳୀରେ ନାରୀ ନିଯୁକ୍ତି କର୍ତ୍ତା ମଧ୍ୟ ଉପସ୍ଥିତ ରହୁଥିବେ । ସମ୍ପୃକ୍ତ ସଂସ୍ଥାରେ ସେମାନଙ୍କ ଗମନାଗମନର ବ୍ୟବସ୍ଥା ମଧ୍ୟ କରିବେ । ରାତିରେ ମହିଳା କର୍ମଚାରୀଙ୍କୁ ସେମାନଙ୍କ ଘରୁ ଆଣିବା କିମ୍ବା ଛାଡ଼ିବା ପାଇଁ ଗାଡ଼ିର ସୁବିଧା କରିବେ । ଉକ୍ତ ଗାଡ଼ିରେ ଜିପିଏସ୍ ଟ୍ରାକିଂ ବ୍ୟବସ୍ଥା ରହିବା ଆବଶ୍ୟକ। ନଚେତ୍ କାର୍ଯ୍ୟକ୍ଷେତ୍ର ନିକଟରେ ତାଙ୍କ ପାଇଁ ରହଣିର ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯିବା ଆବଶ୍ୟକ । ଯେଉଁ ଡ୍ରାଇଭର ନିଯୁକ୍ତ ହେବେ ସେମାନଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ସ୍ଥାନୀୟ ପୋଲିସ ଯାଞ୍ଚ କରିବ ।
ନିଯୁକ୍ତ କର୍ତ୍ତା ତାଙ୍କ ଅନୁଷ୍ଠାନରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ, ପାନୀୟ ଜଳ, ଯଥେଷ୍ଟ ପରିମାଣର ଆଲୋକ ଓ ବିଶ୍ରାମ ଗୃହର ବ୍ୟବସ୍ଥା କରିବେ । ଏହା ସହିତ ମହିଳାଙ୍କ କର୍ମସ୍ଥଳୀକୁ ସମ୍ପୂର୍ଣ୍ଣ ସିସିଟିଭି ନିୟନ୍ତ୍ରଣରେ ରହିବା ଆବଶ୍ୟକ । ଏହାସହିତ ସେମାନଙ୍କ ପାଇଁ ସମର୍ପିତ ଟେଲିଫୋନ୍ ନମ୍ବର ରାଜ୍ୟ ସରକାରଙ୍କ ହେଲ୍ପ ଲାଇନ ନମ୍ବର-୧୮୧ ଏବଂ ଶ୍ରମ ବିଭାଗର ହେଲ୍ପ ଲାଇନ ନମ୍ବର-୧୮୦୦୩୪୫୬୭୦୩ ଭଲ ଭାବେ ପ୍ରଦର୍ଶିତ ହେବା ସହିତ ମହିଳା କର୍ମଚାରୀଙ୍କୁ ନେବା ଆଣିବା ଗାଡ଼ିରେ ମଧ୍ୟ ଲଗାଯିବା ଦରକାର ।
ସେହିପରି କୌଣସି ଦିନ ଡ୍ୟୁଟି ଏବଂ ରାତି ଡ୍ୟୁଟି ମଧ୍ୟରେ ଅତିକମରେ ୮ ଘଣ୍ଟାର ବିଶ୍ରାମ ସମୟ ରହୁଥିବା ଆବଶ୍ୟକ । କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଏବଂ ପ୍ରତିକାର) ଆଇନକୁ କଡ଼ାକଡ଼ି ଭାବରେ ପାଳନ କରିବେ ।
ରାତିରେ ମହିଳା କର୍ମଚାରୀଙ୍କୁ ନିୟୋଜିତ କରୁଥିବା ଯେକୌଣସି ନିଯୁକ୍ତିଦାତା, ବିଭାଗର ନିର୍ଦ୍ଦିଷ୍ଟ ପୋର୍ଟାଲରେ ନିର୍ଦ୍ଧାରିତ ଏକ ସ୍ୱୟଂ-ପ୍ରମାଣପତ୍ର ଦାଖଲ କରିବେ ଯେ ସେ ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି ଏବଂ ମହିଳା କର୍ମଚାରୀଙ୍କ ସୁରକ୍ଷା ଏବଂ ମର୍ଯ୍ୟାଦା ପ୍ରତି ଯତ୍ନବାନ ହେବେ ।
ଯଦି ଅନୁଷ୍ଠାନ ଏହି ସବୁ ନିୟମକୁ ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଓଡ଼ିଶା ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଆଇନ ୧୯୫୬ର ଧାରା ୩୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।