ପୁରୀ: ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣାକୁ ନେଇ ତେଜୁଛି ରାଜନୀତି । ମୃତ ନାବାଳିକାକୁ ନ୍ୟାୟ ଦାବରେ ବିଜେଡି ପକ୍ଷରୁ ସୋମବାର ପୁରୀ ହରତାଳ ଡାକରା ଦିଆଯାଇଛି। ଆସନ୍ତା ୭ତାରିଖ ସକାଳ ୬ଟାରୁ ମଧ୍ୟାହ୍ନ ୧୨ ଯାଏ ପୁରୀରେ ହରତାଳ କରିବାକୁ ବିଜେଡି ପକ୍ଷରୁ ଆହ୍ବାନ ଦିଆଯାଇଛି। ଏନେଇ ପୁରୀ ଜିଲ୍ଲା ବିଜେଡି ସଭାପତି ଉମାକାନ୍ତ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ଗୁରୁବାର ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏଁ ଦୋକାନ ବଜାର ସହ ଗାଡ଼ି ଚଳାଚଳ ବନ୍ଦ କରିବାକୁ ବିଜେଡି ପକ୍ଷରୁ କୁହାଯାଇଛି।
ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ ରହିଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ପୋଲିସର ତଦନ୍ତ ଉପରେ ବିଜେଡି ପ୍ରଶ୍ନ ଉଠାଇଛି । ଘଟଣାର ସତ୍ୟାସତ୍ୟ ଶୀଘ୍ର ଉନ୍ମୋଚନ କରିବାକୁ ଦଳ ଦାବି କରିଛି ।
ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଯାଇଛି କାଦୁଅ ପିଙ୍ଗା ରାଜନୀତି । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ଓ ବିଜେଡି । ସେପଟେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛି ବିଜେପି। ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ଶାଗୁଣା ଯେମିତି ଶବକୁ ଚାହିଁ ବସିଥାଏ, ସେମିତି ଶବ ଉପରେ ରାଜନୀତି କରୁଛନ୍ତି କଂଗ୍ରେସ ଓ ବିଜେଡି । ମାନସିକ ଚିନ୍ତା ଯୋଗୁଁ ଜୀବନ ଗଲା । ଝିଅର ଚିକିତ୍ସା ପାଇଁ ସରକାର ସବୁ ପଦକ୍ଷେପ ନେଇଥିଲେ । ଏ କଥା ନିଜେ କହିଛନ୍ତି ବଳଙ୍ଗା ପୀଡିତାଙ୍କ ବାପା ଓ ଭାଇ । ତା ସତ୍ବେ ତେଜୁଛି ରାଜନୈତିକ ବୟାନବାଜି।