ବୌଦ୍ଧ: କୋଟିପତି ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ ପରେ ତାଙ୍କୁ ଗିରଫ କରାଯାଇଛି ।
ବୌଦ୍ଧ ଜିଲ୍ଲା ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା । ଗୋଲାପ ଚନ୍ଦ୍ରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଯେଉଁଠି ଦେଖିଲେ ସେଠି ଜମି, ସୁନା ଓ ଟଙ୍କା । ଖାନତଲାସିବେଳେ ଗୋଲାପଙ୍କର ଗୋଟିଏ ବହୁତଳ ଘର ଥିବାବେଳେ ୪୪ଟି ପ୍ଲଟ ଥିବା ଜଣାପଡ଼ିଛି । ସେହିପରି ଘରୁ ୧ କିଲୋଗ୍ରାମ ସୁନା ଅଳଙ୍କାର ଜବତ କରାଯାଇଛି । ଯେଉଁଥିରେ ୫୦ ଗ୍ରାମ ବିଶିଷ୍ଟ ଦୁଇଟି ସୁନା ବିସ୍କୁଟ ମଧ୍ୟ ରହିଛି । ଖାଲି ସେତିକି ନୁହେଁ ୨ କିଲୋଗ୍ରାମରୁ ଅଧିକ ରୂପା, ନଗଦ .୨,୩୮,୭୨୫ ଲକ୍ଷ ଟଙ୍କା ଏବଂ ୧ କୋଟି ୩୪ ଲକ୍ଷ ବ୍ୟାଙ୍କ୍ ଜମାରାଶି ମିଳିଛି । ସେହିପରି ଝିଅର ଡାକ୍ତରୀ ଶିକ୍ଷା ପାଇଁ ୪୦ ଲକ୍ଷ ଟଙ୍କା ଦେଇଥିବା ଜଣାପଡ଼ିଛି । ଏହା ସହିତ ଗୋଟିଏ ଚାରି ଚକିଆ ଗାଡ଼ି ଏବଂ ତିନୋଟି ଦୁଇ ଚକିଆ ଗାଡ଼ି ମଧ୍ୟ ମିଳିଛି ।
ଗୋଲାପ ଚନ୍ଦ୍ରଙ୍କର ମୟୁରଭଞ୍ଜ ଜିଲ୍ଲା ବାରିପଦା ପ୍ରଫୁଲ୍ଲ ନଗରରେ ଥିବା ବାସଭବନ ଓ ଗୁଡ଼ିଡିହରେ ଥିବା ପୈତୃକ ଘର, ବୌଦ୍ଧରେ ଥିବା ବାସଭବନ ଓ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱର ପାଣ୍ଡରାରେ ଥିବା ଝିଅ ଘରେ ଚଢ଼ଉ ହୋଇଥିଲା । ଏଥିରେ ଭିଜିଲାନ୍ସ ବିଭାଗର ୪ ଜଣ ଡିଏସପି, ୭ ଜଣ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।