ପୁରୀ: ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବାୟାବର ଗ୍ରାମରେ ଇସଲାମୀୟ ଧର୍ମ ରୀତିନୀତି ଅନୁଯାୟୀ ସୋମବାର ପୀଡ଼ିତାଙ୍କୁ କବର ଦିଆଯାଇଛି । ଉଭୟ ପୁରୁଷ ଏବଂ ମହିଳାମାନେ ନମାଜ ପାଠ କରିବା ପରେ ଝିଅକୁ ଲୁହ ଭିଜା ଆଖିରେ ବିଦାୟ ଦେଇଛନ୍ତି । ଏହି ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏହି ସମୟରେ ଉପୁମଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତ ଥିଲେ ।
ଗତକାଲି ବିଳମ୍ବିତ ରାତିରେ ବଳଙ୍ଗା ପୀଡ଼ିତାଙ୍କ ପାର୍ଥିବ ଶରୀର ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଁଚିଥିଲା । କଡ଼ି ସୁରକ୍ଷାବଳୟ ଭିତରେ ମୃତଦେହକୁ ଭୁବନେଶ୍ୱରରୁ ପୁରୀ ଜିଲ୍ଲାର ବାୟାବର ଗ୍ରାମକୁ ନିଆଯାଇଥିଲା । ଆଜି ସକାଳେ ତାଙ୍କର ଶେଷକୃତ୍ୟ କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଜୁଲାଇ ୧୯ରେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ବାୟାବର ଗାଁରେ ଏହି ଅଭାବନୀୟ ଘଟଣା ଘଟିଥିଲା । ନାବାଳିକା ଜଣକ ନିକଟସ୍ଥ ଗ୍ରାମକୁ ତାଙ୍କ ସାଙ୍ଗଙ୍କ ଘରକୁ ଯାଇ ଫେରୁଥିବାବେଳେ ତିନି ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କୁ ଉଠାଇ ନେଇଥିଲେ । ଏହା ପରେ ନାବାଳିକାର ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ତିନି ଅଭିଯୁକ୍ତ ତୁରନ୍ତ ଘଟଣାସ୍ଥଳରୁ ଫେରାର ମାରିଥିଲେ । ପୀଡ଼ିତାଙ୍କ ଜଣକ ଜୀବନ ବଞ୍ଚାଇବାକୁ ଧାଇଁବାକୁ ଲାଗିଥିଲେ । ନିକଟରେ ଥିବା ଜଣେ ଦୁଃଖିଶ୍ୟାମ ସେନାପତିଙ୍କ ଘର ବାରଣ୍ଡାରେ ପଡ଼ି ବଞ୍ଚାଇବାକୁ ଗୁହାରୀ କରିଥିଲେ । ଦୁଃଖିଶ୍ୟାମ ନିଆଁ ଲିଭାଇବା ସହିତ ତାଙ୍କୁ କପଡ଼ା ବଦଳାଇବାକୁ କହିଥିଲେ । ଏହା ପରେ ତାଙ୍କୁ ବଳଙ୍ଗା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ ।
ଏହା ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ପୀଡିତାଙ୍କ ୭୦ ପ୍ରତିଶତ ଶରୀର ପୋଡି ଯାଇଥିଲା । ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ବଳଙ୍ଗା ପୀଡିତାଙ୍କ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ତିନି ଥର ଅପରେସନ ହୋଇଥିଲା । ତେବେ ତାଙ୍କର ଜ୍ୱର ଛାଡ଼ୁନଥିଲା । ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ଶତ ଚେଷ୍ଟା ସତ୍ତ୍ୱେ ବଲଙ୍ଗା ପୀଡିତାଙ୍କୁ ବଞ୍ଚାଇ ପାରିଲେ ନାହିଁ ।
ଅନ୍ୟପକ୍ଷରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭୁବନେଶ୍ୱର ଏମ୍ସରେ ପୀଡିତାଙ୍କ ବୟାନ ରେକର୍ଡ ହୋଇଥିଲା । ଦିଲ୍ଲୀ ଏମ୍ସରେ ବି ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ପୀଡିତାଙ୍କ ବୟାନ ରେକର୍ଡ କରିଥିଲେ । ତେବେ ପୀଡିତା ଭୁବନେଶ୍ୱର ଏମ୍ସ ଏବଂ ଦିଲ୍ଲୀ ଏମ୍ସରେ ଦେଇଥିବା ବୟାନରେ ତାଳମେଳ ନ ଥିଲା । ଫଳରେ ପୋଲିସକୁ ଘଟଣାରେ ଏ ଯାଏ କୌଣସି ସୁରାକ ମିଳି ପାରି ନାହିଁ ।