୨୦୨୫ ମସିହା ଅଗଷ୍ଟ ୧ ତାରିଖ ଶନିବାର ଦିନ ୟେମେନ୍ ଉପକୂଳରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଆଫ୍ରିକୀୟ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ବୋଟ୍ ହଠାତ୍ ଏଠାରେ ବୁଡ଼ି ଯାଇଥିଲା, ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଏହି ବୋଟ୍ ବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୭୬ କୁ ବୃଦ୍ଧି ପାଇଛି। ସ୍ଥାନୀୟ ପ୍ରଶାସନ କହିଛି ଯେ ଖରାପ ପାଗ ସତ୍ତ୍ୱେ, ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ୟେମେନର ସୁରକ୍ଷା ଅଧିକାରୀ କହିଛନ୍ତି ଯେ ଆଡେନ୍ ଉପସାଗରରେ ଜାହାଜର ଭଗ୍ନାବଶେଷରୁ ୭୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏପର୍ଯ୍ୟନ୍ତ ୩୨ ଜଣଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ଜାତିସଂଘର ଏଜେନ୍ସି ଆନ୍ତର୍ଜାତୀୟ ପ୍ରବାସ ସଂଗଠନ, ପୂର୍ବରୁ ୬୮ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଦେଇଥିଲା। ତଥାପି, ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି।
ଆବୟାନ୍ ପ୍ରଦେଶର ଜଣେ ଅଧିକାରୀ କହିଛନ୍ତି, "ବିଭିନ୍ନ ସମୁଦ୍ର ବେଳାଭୂମିରେ ଅନେକ ମୃର୍ତ୍ତି ମୃତଦେହ ମିଳିଛି। ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି।" ଦକ୍ଷିଣ ୟେମେନର ଅବୟାନ୍ ପ୍ରଦେଶ ଉପକୂଳରେ ଏହି ଦୁର୍ଘଟଣା ଘଟିଛି। ଏହି ଅଞ୍ଚଳରେ ପ୍ରାୟତଃ ପ୍ରବାସୀ ଆଫ୍ରିକୀୟମାନଙ୍କୁ ଅନ୍ୟ ଉପସାଗରୀୟ ଦେଶଗୁଡ଼ିକୁ ନେଇ ଯାଉଥିବା ଜାହାଜ ଦେଖାଯାଏ। ୟୁଏନ୍ ଅନୁଯାୟୀ, ଗତ ଦଶନ୍ଧୀରେ ଏହି ରାସ୍ତାରେ ୩,୪୦୦ରୁ ଅଧିକ ମୃତ୍ୟୁ ଏବଂ ନିଖୋଜ ଘଟଣା ରେକର୍ଡ ହୋଇଛି ।
ସଂଖ୍ୟାଠାରୁ ଅଧିକ ଲୋକ ଜାହାଜରେ ଥିବାରୁ ଜାହାଜ ଭାରସାମ୍ୟ ହରାଇଥିବା ସୂଚନା ରହିଛି । ୨୦୧୪ ମସିହାରୁ ୟେମେନରେ ଗୃହଯୁଦ୍ଧ ଚାଲି ଚାଲିଥିବା ସତ୍ତ୍ବେ, ଆଫ୍ରିକୀୟ ଦେଶଗୁଡ଼ିକରୁ ବହୁ ସଂଖ୍ୟକ ପ୍ରବାସୀ ଏଠାକୁ ଆସିଥାନ୍ତି। ଇଥ୍ଓପିଆ ମଧ୍ୟ ଏହି ଦେଶଗୁଡ଼ିକରେ ଅନ୍ତର୍ଭୁକ୍ତ, ଯେଉଁଠାରେ ଆଭ୍ୟନ୍ତରୀଣ ସଂଘର୍ଷ ଜାରି ରହିଛି। ପ୍ରତିବର୍ଷ ହଜାର ହଜାର ଲୋକ ଜିବୋଟିରୁ ଲାଲ ସାଗର ଦେଇ ୟେମେନରେ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି ଧନୀ ଉପସାଗରୀୟ ଦେଶଗୁଡ଼ିକୁ ଯିବା ଲକ୍ଷ୍ୟରେ ପହଞ୍ଚନ୍ତି।