ନୂଆଦିଲ୍ଲୀ: ଭାରତ ଉପରେ ଆମେରିକାର ଏକତରଫା ୨୫ ପ୍ରତିଶତ ଟାରିଫ ଲଗାଇବା ନେଇ ଦେଶର ରାଜନୀତି ସରଗରମ ରହିଛି । ଏହା ମଧ୍ୟରେ ଖ୍ୟାତାନାମ ଉଦ୍ୟୋଗପତି ତଥା ଟେଷ୍ଟବେଡର ଅଧ୍ୟକ୍ଷ କିର୍କ ଲୁବିମୋଭ ଭାରତ ଉପରେ ଏହି ଟାରିଫକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ କଡା ସମାଲୋଚନା କରିଛନ୍ତି । ଲୁବିମୋଭ କହିଛନ୍ତି, ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଆମେରିକା ପାଇଁ ରଣନୈତିକ ଭାବେ ଆତ୍ମଘାତୀ ଅଟେ । ଏହି ପଦକ୍ଷେପ ଚୀନ ଓ ବ୍ରିକ୍ସକୁ ଦୁର୍ବଳ କରିବା ଆମେରିକା ଲକ୍ଷ୍ୟ ବିପରୀତ ହୋଇପାରେ ।
କିର୍କ ଲୁମିମୋଭ ରବିବାର ଏକ ପୋଷ୍ଟରେ ଲେଖିଛନ୍ତି, ମୁଁ ପୂର୍ବରୁ ବି କହି ସାରିଛି ଏବଂ ଆଜି ପୁଣି ଥରେ କହୁଛି ଯେ, ଟ୍ରମ୍ପଙ୍କ ଟାରିଫ ନୀତିର ସବୁଠୁ ବଡ ସମସ୍ୟା ଏହା ଯେ, ଏଥିରେ ଭୂ ରାଜନୈତିକ ରଣନୀତି ପ୍ରତି କୌଣସି ଧ୍ୟାନ ଦିଆଯାଇ ନାହିଁ । ସେ କହିଛନ୍ତି ଭାରତ ସଂପ୍ରତି ଦୁନିଆର ସବୁଠୁ ଦ୍ରୁତ ଗତିରେ ଆଗକୁ ବଢୁଥିବା ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଶ୍ୱସ୍ତରରେ ସବୁଠୁ ସମ୍ମାନିତ ଓ ପ୍ରଭାବଶାଳୀ ନେତା ଭାବେ ଗଣାଯାଏ ।
ସେ ଆକ୍ଷେପ କରି କହିଛନ୍ତି, ଯଦି ଆମେରିକା ବିଶ୍ୱରେ ଚୀନର ଯୋଗାଣ ଚେନକୁ ହ୍ରାସ କରିବାକୁ ଚାହୁଁଛି ତେବେ ଭାରତ ସବୁଠୁ ଉପଯୁକ୍ତ ବିକଳ୍ପ ହୋଇ ପାରିବ । ଆମେରିକା ତ ନିଜେ ୫୦ ସେଣ୍ଟ ଟୁଥବ୍ରଶ ତ ତିଆରି କରିବ ନାହିଁ । ସେ ନିଜ ବୟାନରେ ଚେତାଇ ଦେଇଛନ୍ତି ଯେ, ଭାରତ ଦୀର୍ଘକାଳୀନ ଭାବେ ଚିନ୍ତା କରିଥାଏ । ଟ୍ରମ୍ପଙ୍କ ଚାରି ବର୍ଷର କାର୍ଯ୍ୟକାଳ ଭାରତ ପାଇଁ ଏକ ଅସ୍ଥାୟୀ ଝଟକା । ଆମେରିକାକୁ କାନାଡା ପରି ଦେଶକୁ ସାଥୀରେ ନେଇ ଆର୍ଥିକ ସହଯୋଗର ନୀତି ଆପଣେଇବା ଉଚିତ୍ ।
ବିଶ୍ଳେଷକଙ୍କ କହିବା କଥା ଆମେରିକା ଦ୍ୱାରା ଭାରତକୁ ଟାର୍ଗେଟ୍ କରିବା ଚୀନ ବିରୋଧୀ ରଣନୀତିକୁ ଦୁର୍ବଳ କରିପାରେ । କାରଣ ଭାରତ ଏକମାତ୍ର ପ୍ରମୁଖ ଦେଶ ଯିଏ ଚୀନର ବିକଳ୍ପ ଭାବେ ରହି ଆସିଛି । ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇ କହିଥିଲେ ଯେ, ଏହି ଦେଶ ହେଉଛି ଡେଡ ଇକୋନୋମି । ଭାରତ ଓ ରୁଷ ଦୁଇ ମୃତ ଅର୍ଥବ୍ୟବସ୍ଥା ଦେଶ ଏକ ସଙ୍ଗେ ଡୁବି ପାରନ୍ତି ।