ବୈଶିଙ୍ଗା: ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳର ତିଳପଦା ଗ୍ରାମର ଜଣେ ଯୁବକଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି । ମୃତକ ଜଣକ ବାସୁଦେବ ସିଂ । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁସାରେ, ତିଳପଦା ଗ୍ରାମର ବାସୁଦେବ ଗ୍ରାମ ପାର୍ଶ୍ୱରେ ଥିବା ନିଜ ଚାଷ ଜମିରେ କାମ କରୁଥିଲେ । ଏହି ସମୟରେ ବର୍ଷା ହେବା ସହିତ ବିଜୁଳି ଘଡଘଡି ହୋଇଥିଲା । ସେହି ସମୟରେ ବଜ୍ରାଘାତ ବାସୁଦେବଙ୍କ ଉପରେ ପଡିଥିଲା । ଫଳରେ ସେ ଘଟଣାସ୍ଥଳରେ ପଡ଼ିଥିଲେ । ବାସୁଦେବଙ୍କ ପାଖରେ କାମ କରୁଥିବା ଅନ୍ୟ ଚାଷୀମାନେ ଅଳ୍ପକେ ବଞ୍ଚି ଯାଇଥିଲେ । ସେମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନାକୁ ଆଣିବାକୁ ବାହାରିଲା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା l ସ୍ଥାନୀୟ ଲୋକେ ତାଙ୍କ ମୃତଦେହକୁ ତାଙ୍କ ଘରକୁ ଆଣିଥିଲେ । ପରେ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଛି । ଏନେଇ ବୈଶିଙ୍ଗା ପୋଲିସକୁ ଖବର ଦିଆଯାଇଥିଲା ।